Site icon Odisha.com

ସିଭିଲ ସର୍ଭିସ ପରୀକ୍ଷା: ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଶ୍ୱେତା

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ନୂଆଦିଲ୍ଲୀ, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଦ୍ୱାରା ପରିଚାଳିତ ୨୦୧୦ ବର୍ଷର ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଶ୍ୱେତା ମହାନ୍ତି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

ବୁଧବାର ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମାଡ଼୍ରାସର ଆଇନ ଛାତ୍ରୀ ଏସ୍.ଦିବ୍ୟର୍ଶିନୀ ପ୍ରଥମ ଏବଂ ହାଇଦ୍ରାବାଦ ରହୁଥିବା ଓଡ଼ିଶାର କମ୍ପ୍ୟୁଟର ଇଂଜିନିୟର ଛାତ୍ରୀ ଶ୍ୱେତା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଦିବ୍ୟର୍ଶିନୀ ଦ୍ୱିତୀୟ ଥର ପାଇଁ ଏହି ପରୀକ୍ଷା ଦେଇଥିବା ବେଳେ ଶ୍ୱେତା ତୃତୀୟ ଥର ପାଇଁ ପରୀକ୍ଷା ଦେଇଥିଲେ ।

୧୯୭୯ ବ୍ୟାଚ୍ ଆନ୍ଧ୍ରପ୍ରଶେ କ୍ୟାଡ଼ରର ଆଇଏଏସ୍ ଅଫିସର ପ୍ରସନ୍ନ କୁମାର ମହାନ୍ତିଙ୍କ ଝିଅ ଶ୍ୱେତାପ୍ରଥମ ଥର ଏହି ପରୀକ୍ଷା ଦେଇ ଅକୃତ କାର୍ଯ୍ୟ ହୋଇଥିବା ବେଳେ ୨୦୦୭ରେ ଦ୍ୱିତୀୟ ଥର ପରୀକ୍ଷା ଦେଇ ଭାରତୀୟ ରାଜସ୍ୱ ସେବା(ଆଇଆର୍ଏସ୍) ପାଇଥିଲେ । ସେ ବର୍ତ୍ତମାନ ପଶ୍ଚିମବଙ୍ଗର ସିଲିଗୁଡ଼ିରେ କାର୍ଯ୍ୟ କରୁଛନ୍ତି ।

ଶ୍ୱେତାଙ୍କ ସ୍ୱାମୀ ରଜତ ସାଇନି ମଧ୍ୟ ୨୦୦୭ ବ୍ୟାଚ୍ର ଜଣେ ଆଇଏଏସ୍ ଅଫିସର ।

“”ପରୀକ୍ଷା ଫଳ ଜାଣି ମୁଁ ବହୁତ ଖୁସି, ବହୁତ ଦିନରୁ ଏହା ମୋର ସ୍ୱପ୍ନ ଥିଲା । ବାପା ମୋ ପାଇଁ ରୋଲ ମଡ଼େଲ ଓ ମୁଁ ତାଙ୍କ ପାଙ୍କ ଅନୁସରଣ କରି ସମାଜ ପାଇଁ କାର୍ଯ୍ୟ କରିବି” ସେ କହିଛନ୍ତି ।

ସଫଳତା ପଛରେ ପରିବାର, ଶାଶୁଘର ଲୋକ ତଥା ମୋ ସ୍ୱାମୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି । ପରୀକ୍ଷା ପାଇଁ ସେ ସାଧାରଣ ପ୍ରଶାସନ ଏବଂ ଏନ୍ଥ୍ରୋପଲୋଜିକୁ ମୁଖ୍ୟ ବିଷୟ ଭାବେ ନେଇଥିଲେ ।

ପରୀକ୍ଷା ପାଇଁ ୫ଲକ୍ଷ ୪୭ ହଜାର ୬୯୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ଓ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୯ ହଜାର ୩୬ ଜଣ ଗତ ୨୦୧୦ ମଇ ୨୩ରେ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version