Site icon Odisha.com

୨୭ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ ଲକ୍ଷ୍ୟ: ବିଜ୍ଞାନ ଟପ୍ପର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯୁକ୍ତ ଦୁଇ ବିଜ୍ଞାନରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଛାତ୍ର ତନ୍ମୟ ପାତ୍ର ।

ଶିରାପୁର ହାଇସ୍କୁଲର ଶିକ୍ଷକ ସିଦ୍ଧାନ୍ତ କୁମାର ପାତ୍ର ଓ ଶିକ୍ଷୟତ୍ରୀ ଶଶିକଳା ପରିଡ଼ାଙ୍କ ପୁତ୍ର ତନ୍ମୟ ୨୦୦୯ରେ ମ୍ୟାଟ୍ରିକ ପରୀକ୍ଷାରେ ୧୭ ତମ ସ୍ଥାନ ହାସଲ କରିଥିଲେ ।

ସେ ମ୍ୟାଟ୍ରିକ ପରେ ରାଜ୍ୟର ବହୁ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥିଲେ ମଧ୍ୟ ନିଜ ଗାଁ ନିକଟସ୍ଥ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପସନ୍ଦ କରିଥିଲେ ।

ନିଜର ଦୃଢ ମନବଳ ଓ ଅଧ୍ୟବସାୟ ବଳରେ ସେ ଆଜି ବିଜ୍ଞାନରେ ୫୫୫ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିପାରିଛନ୍ତି । ସେ ପରୀକ୍ଷାରେ ଟପ ଟ୍ୱେଣ୍ଟି ମଧ୍ୟରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ ତେବେ ଟପ୍ପର ହୋଇଥିବା ଜାଣିବା ପରେ ସେ ଓ ତାଙ୍କ ପରିବାର ସଦସ୍ୟ ଖୁସିରେ ବିଭୋର ହୋଇଯାଇଥିଲେ ।

ଭଲ ପାଠ ପଢିବାକୁ ହେଲେ ଖ୍ୟାତିନାମା କଲେଜର ଆବଶ୍ୟକତା ନାହିଁ ବୋଲି ତନ୍ମୟ କହିଛନ୍ତି । ସଫଳତା ପାଇଁ ପିତା ମାତା ତଥା କଲେଜ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି ।

ପୁଅ ପରୀକ୍ଷାରେ ଭଲ କରିବ ବୋଲି ଆମର ବିଶ୍ୱାସ ଥିଲା କିନ୍ତୁ ସେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିବ ଏହା କେବେ ଭାବିନଥିଲୁ । ସେ ନିଶ୍ଚୟ ମେଡ଼ିକାଲ ପାଇବ ଓ ରିସର୍ଚ୍ଚ ମଧ୍ୟ କରିବ ବୋଲି ଆମର ଆଶା, ପିତା ମାତା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version