Site icon Odisha.com

ଦକ୍ଷିଣ ଆଫ୍ରିକାରୁ ଫେରିଲେ ନିର୍ଯାତିତ ଓଡ଼ିଆ ଶ୍ରମିକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍)ଦକ୍ଷିଣ ଆଫ୍ରିକାରେ ନିର୍ଯାତନାର ଶିକାର ହୋଇଥିବା ୨୩ ଜଣ ଓଡ଼ିଆ ଶ୍ରମିକ ମଙ୍ଗଳବାର ନିଜ ନିଜ ଗ୍ରାମକୁ ଫେରି ଆସିଛନ୍ତି ।

ସେମାନେ ସମସ୍ତେ ନିଜ ଭିଟାମାଟିରେ ପଂହଂଚିବା ପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ନିଜ ଲୋକଙ୍କୁ ଦେଖି ପରିବାରର ସସ୍ୟମାନେ ଖୁସିରେ କାନ୍ଦି ପକାଇଛନ୍ତି ।

ଅଧିକ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଲୋଭନରେ ଯାଜପୁର ଜିଲ୍ଲାର ୧୪ ଜଣ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ନଅ ଜଣ ଶ୍ରମିକ ଦକ୍ଷିଣ ଆଫ୍ରିକାର ବିମ୍ବୋ ଠାରେ ଏକ ପ୍ରକଳ୍ପରେ କାମ କରିବା ପାଇଁ ଯାଇଥିଲେ ।

ଏକବର୍ଷ ଚୁକ୍ତି କରାଇ ଏହି ପ୍ରକଳ୍ପରେ କାମ କରିବା ପାଇଁ ବାଙ୍ଗାଲୋରର ଦୁଇ ଜଣ କଣ୍ଟ୍ରାକ୍ଟର ଓ ଯାଜପୁରର ଜଣେ ଏଜେଣ୍ଟଙ୍କ ଜରିଆରେ ସେମାନେ ସେଠାକୁ ଯାଇଥିଲେ । ସେଠାରେ ସେମାନଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରଖି ନିର୍ଯାତନା ଦିଆଯାଇଥିଲା ।

ପରେ ସେଠାକୁ ଯାଇଥିବା ଯାଜପୁର ଜିଲ୍ଲାର ନରେନ୍ଦ୍ର ମଲ୍ଲିକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ଏହି ଖବର ପରେ ସେଠାକାର ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ଶ୍ରମିକ ମାନଙ୍କ ତୁରନ୍ତ ଓ ନିରାପଦ ଉଦ୍ଧାର ପାଇଁ ପକ୍ଷେପ ନେବାକୁ ଗତ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version