Site icon Odisha.com

ଓଡ଼ିଶାରେ ସହର ବୃଦ୍ଧି, ଗାଁ ହ୍ରାସ: ଜନଗଣନା ରିପୋର୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସହର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ  ଗାଁ ସଂଖ୍ୟା ହ୍ରାସ ପାଇଛି ବୋଲି ଭୁବନେଶ୍ୱର ସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି ପୁରୁଷ-ମହିଳାଙ୍କ ଅନୁପାତ ବୃଦ୍ଧି ପାଇଛି ଏବଂ ପୁରୁଷ ସାକ୍ଷରତା ହାର ତୁଳନାରେ ମହିଳାଙ୍କ ସାକ୍ଷରତା ହାରରେ ଅଭିବୃଦ୍ଧି ଘଟିଛି ।

ସାମଗ୍ରିକ ଭାବେ ଲିଙ୍ଗ ଅନୁପାତ ବୃଦ୍ଧି ପାଇଥିଲେ ମଧ୍ୟ ଶିଶୁ ଲିଙ୍ଗ ଅନୁପାତ ଚିନ୍ତାଜନକ ଭାବେ ହ୍ରାସ ପାଇଛି । ସୋମବାର ରାଜ୍ୟ ଜନଗଣନା ନିର୍ଦ୍ଦେଶକ ବାଳକୃଷ୍ଣ ସେଠୀ ଓ ରାଜସ୍ୱ ସଚିବଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ଏହି ରିପୋର୍ଟ ଉନ୍ମୋଚନ କରିଛନ୍ତି ।

ଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ସହର ସଂଖ୍ୟା ବୃଦ୍ଧି ପାଇଛି । ୨୦୦୧ରେ ୧୩୮ଟି ସହର ଥିବା ବେଳେ ୨୦୧୧ରେ ଏହି ସଂଖ୍ୟା ୨୨୩ରେ ପଂହଂଚିଛି। ଫଳରେ ସହର ସଂଖ୍ୟା ୮୫ ବୃଦ୍ଧି ପାଇଛି ।

ବୈଧାନିକ ସହର ସଂଖ୍ୟା ପୂର୍ବଭଳି ୧୦୭ ଥିବା ବେଳେ ଜନଗଣନା ସହର ସଂଖ୍ୟା ୩୧ରୁ ୧୧୬କୁ ବୃଦ୍ଧି ପାଇଛି । ସେହିପରି ୨୦୦୧ରେ ୫୧ ହଜାର ୩୪୯ଟି ଗାଁ ଥିବା ବେଳେ ୨୦୧୧ରେ ଏହା ୫୧ ହଜାର ୩୧୩କୁ କମିଛି । ଫଳରେ ଗାଁ ସଂଖ୍ୟା ୩୬ କମିଛି ।

୨୦୧୧ରେ ମୋଟ୍ ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୪୭ ହଜାର ୩୫୮ ହୋଇଥିବା ବେଳେ ଏହା ୨୦୦୧ ତୁଳନାରେ ୫୧ ଲକ୍ଷ ୪୨ ହଜାର ୬୯୮ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।

ଏମାନଙ୍କ ମଧ୍ୟରୁ ତିନି କୋଟି ୪୯ ଲକ୍ଷ ୫୧ ହଜାର ୨୩୪ ଗଣ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୬୯ ଲକ୍ଷ ୯୬ ହଜାର ୧୨୪ ଜଣ ସହରାଞ୍ଚଳରେ ବସବାସ କରୁଛନ୍ତି ।

ମୋଟ୍ ଲୋକଙ୍କ ମଧ୍ୟରୁ ୮୩.୩୨ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୧୬.୬୮ ପ୍ରତିଶତ ସହରରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version