Site icon Odisha.com

ଜନମତକୁ ସମ୍ମାନ ଦେବା ଆବଶ୍ୟକ: ପି.କେ. ଜେନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ଶିଳ୍ପ ପ୍ରତିଷ୍ଠା ସମୟରେ ସାଧାରଣ ଜନତାଙ୍କ ମତ ଏବଂ ବିଚାରଧାରାକୁ ସରକାର ସମ୍ପାଦନା ଦେବା ଆବଶ୍ୟକ, ଏହାଦ୍ୱାରା ଶିଳ୍ପ ସ୍ଥାପନ ସମୟରେ ଦେଖାଯାଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପି.କେ.ଜେନା କହିଛନ୍ତି ।

ଏହାବ୍ୟତୀତ ବୈଜ୍ଞାନିକ ପଦ୍ଧତିରେ ଖଣିଜ ପାର୍ଥର ଉତ୍ତୋଳନ ଓ ଉପଯୋଗ କରାଯାଇପାରିଲେ ପରିବେଶ ଓ ପରିସ୍ଥାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିିବ ନାହିଁ, ଇଂରାଜୀ ଖବରକାଗଜ ‘ଇଣ୍ଡସ୍ ଭ୍ୟାଲି ଟାଇମସ୍’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ‘ପ୍ରଗତିର ପଥ’ ଶୀର୍ଷକ ଆଲୋଚନା ଚକ୍ରରେ ସେ କହିଛନ୍ତି ।

ଦେଶ ଓ ଜାତିର ଅଗ୍ରଗତି ପାଇଁ ଦୃଢ ଇଚ୍ଛାଶକ୍ତି ଓ ସଂକଳ୍ପ ଆବଶ୍ୟକ । ପ୍ରଗତିର ପ୍ରତିଟି ପକ୍ଷେପରେ ସାଧାରଣ ଲୋକମାନଙ୍କ ସଂପୃକ୍ତି ମଧ୍ୟ ରହିବା ଆବଶ୍ୟକ ବୋଲି ଆଲୋଚନାରେ ଅଂଶଗ୍ରହଣ କରି ରାଜସ୍ୱ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ରାଜନୈତିକ ବ୍ୟକ୍ତିମାନେ ଅଧିକାଂଶ ସମୟରେ ସଂକୀର୍ଣ୍ଣସ୍ୱାର୍ଥ ନେଇ ପରସ୍ପର ବିରୋଧରେ ଆରୋପ ଓ ପ୍ରତ୍ୟାରୋପରେ ବ୍ୟସ୍ତ ରହୁଥିବାରୁ ପ୍ରଗତିରେ ବାଧା ଉପୁଜିଛି ।

ଏହିଭଳି ସଂକୀର୍ଣ୍ଣ ମାନସିକତାରୁ ଉଦ୍ଧ୍ୱର୍କୁ ଉଠି ରାଜ୍ୟ ତଥା ଶେର ବୃହତ୍ତର ସ୍ୱାର୍ଥ ଉପରେ ସହମତି ପ୍ରକାଶ କରିପାରିଲେ ଉନ୍ନତି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ, ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ।

ସରକାର ଶିଳ୍ପ ପ୍ରତିଷ୍ଠା ବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପୂର୍ବରୁ ଜନସାଧାରଣଙ୍କ ଆବେଗ ଓ ଆଶଙ୍କାକୁ ଯଥାଯଥ ଭାବରେ ପରୀକ୍ଷା ନିରୀକ୍ଷା କରିବା ଆବଶ୍ୟକ, ଅନୁଷ୍ଠାନର ଅବୈତନିକ ସଂପାକ ପ୍ରସନ୍ନ କୁମାର ମହାନ୍ତି କହିଥିଲେ ।

ବିକାଶର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ଓ ସହମତିର ଆବଶ୍ୟକତା ରହିଛି । ସେମାନଙ୍କର ସମର୍ଥନ ଓ ସଂପୃକ୍ତି ବିନା କୌଣସି ପ୍ରକଳ୍ପ ସଠିକ୍ ରୂପେ ରୂପାୟନ ହୋଇପାରିବ ନାହିଁ, ସମ୍ବାଦ ସରବରାହ ସଂସ୍ଥା ‘ହିନ୍ଦୁସ୍ତାନ ସମାଚାର’ର ଓଡ଼ିଶା ମୁଖ୍ୟ ସଂଜୟ ଜେନା କହିଥିଲେ ।

ଆଲୋଚନା ଚକ୍ରରେ ବହୁ ବରିଷ୍ଠ ପ୍ରଶାସକ, ବୁଦ୍ଧିଜୀବୀ ଓ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version