Site icon Odisha.com

କଟକ ପାଇଁ ବିସ୍ତୃତ ବିକାଶ ଯୋଜନା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ଆଇଆଇଟି ଖଡ଼ଗପୁର ପକ୍ଷରୁ କଟକର ବିସ୍ତୃତ ବିକାଶ ଯୋଜନା(ସିଡ଼ିପି) ଭିଜନ ୨୦୩୦ ପ୍ରସ୍ତୁତ କରାଯାଇଛି ।

ଆଇଆଇଟି ଖଡ଼ଗପୁରର ଆର୍କିଟେକ୍ଚର ଓ ରିଜିଓନାଲ ପ୍ଲାନିଂ ବିଭାଗ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ସଂପୂର୍ଣ୍ଣ ଭିଜନ ଟକ୍ୟୁମେଣ୍ଟ ଉପସ୍ଥାପନ କରାଯାଇ ଏହା ଉପରେ ଆଲୋଚନା କରାଯାଇଛି ।

କଟକ ମୁନିସିପାଲିଟି ଅଞ୍ଚଳର ୪୮ଟି ୱାର୍ଡ଼, ଚାରିବାଟିଆ, ଚୌଦ୍ୱାର ଅଞ୍ଚଳର ୨୮ଟି ୱାର୍ଡ଼ ଏବଂ ଅନ୍ୟ ୬୦ଟି ଗ୍ରାମକୁ ନେଇ କଟକ ବିକାଶ ଯୋଜନା ଅଞ୍ଚଳ ପ୍ରସ୍ତୁତ କରାଯାଇଛି । ୨୦୦୧ରେ ଏହି ଅଞ୍ଚଳର ଜନସଂଖ୍ୟା ୬.୬୬ ଲକ୍ଷ ଥିବା ବେଳେ ୨୦୩୦ରେ ଏହାର ଜନସଂଖ୍ୟା ୧୫ ଲକ୍ଷରେ ପହଞ୍ଚିବା ସମ୍ଭାବନା ରହିଛି ।

ଏହାକୁ ଆଖି ଆଗରେ ରଖି ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ଅଞ୍ଚଳକୁ ଉତ୍ତରାଞ୍ଚଳ, କେନ୍ଦ୍ରୀୟ ସହସ୍ରାଦ୍ଧ ସହର, ଏବଂ ଦକ୍ଷିଣାଞ୍ଚଳ । ଏପରି ତିନୋଟି ଅଞ୍ଚଳର ବିକାଶ ଯୋଜନା କରାଯାଇଛି ।

ଏଥିରେ ଚାରିବାଟିଆ, ନିର୍ଗୁଣ୍ଡି, ଛତିଶା, ଚୌଦ୍ୱାର, ନିମପୁର, ବିଡ଼ାନାସୀ, ପୁରୁଣା କଟକ, ଶିଖରପୁର, ମୁଣ୍ଡଳୀ, ବାରଙ୍ଗ ଏବଂ ଗୋପାଳପୁର ପରି ଭିନ୍ନଭିନ୍ନ ଅଞ୍ଚଳ ପାଇଁ ଯୋଜନା କରାଯାଇଛି ।

ଏହି ସବୁ ଅଞ୍ଚଳରେ ଶିଳ୍ପକେନ୍ଦ୍ର, ଲଜିଷ୍ଟିକ ସେଣ୍ଟର,ଆବାସିକ ଯୋଜନା, ବାଣିଜ୍ୟ କେନ୍ଦ୍ର , ବିନୋଦନ କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ଏବଂ ଅନ୍ୟାନ୍ୟ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବରେ କୁହାଯାଇଛି ।

ପ୍ରସ୍ତାବରେ କଟକ, ଭୁବନେଶ୍ୱର ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳକୁ ନେଇ ଏକ ଭୁବନେଶ୍ୱର କଟକ ଅର୍ବାନ କନ୍ଗ୍ଲୋମୋରେଟ ମେଟ୍ରୋ ଅଥରିଟି(ବିସିୟୁସି ମେଟ୍ରୋ ଅଥରିଟି) ଗଠନ ପାଇଁ ମଧ୍ୟ କୁହାଯାଇଛି ।

ଏହି ବିକାଶ ଯୋଜନା ପାଇଁ ପ୍ରାୟ ୧୮,୯୪୦ କୋଟି ଟଙ୍କା ବିନିଯୋଗ ଆବଶ୍ୟକତା ରହିଛି ଏବଂ ଏଥିରୁ ସରକାରୀ କ୍ଷେତ୍ରରେ ପାଞ୍ଚ ହଜାର କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସମସ୍ତ ଘରୋଇ କ୍ଷେତ୍ର ଦ୍ୱାରାବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version