Site icon Odisha.com

କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି: ନବୀନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରୁଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଥିବା ବେଳେ ବିରୋଧି କଂଗ୍ରେସ ପକ୍ଷରୁ ଏହାକୁ ମିଥ୍ୟା ବୋଲି କୁହାଯାଇଛି ।

କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରୁଥିବା ବେଳେ ଓଡ଼ିଶା ଭଳି ଗରିବ ରାଜ୍ୟକୁ ଅବହେଳା କରୁଛନ୍ତି, ସେ କଟକରେ ଆୟୋଜିତ ଦଳୀୟ ସମାବେଶରେ କହିଛନ୍ତି ।

କେନ୍ଦ୍ର ସରକାର ଓଡ଼ିଶା ପ୍ରତି ପାତରଅନ୍ତର କରୁଛନ୍ତି, ସେ ବିଜୁ ଯୁବ ଜନତା ଦଳଦ୍ୱାରା ଆୟୋଜିତ ସମାବେଶରେ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଁ ସେ ମିଳିତ ପ୍ରଗତିଶୀଳ ମେଣ୍ଟ(ୟୁପିଏ)କୁ ସେ ଦାୟୀ କରିଛନ୍ତି ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ତଥା ବିଭିନ୍ନ ଖଣିଜ ପାର୍ଥରେ ୨୦ ପ୍ରତିଶତ ରୟାଲ୍ଟି ଦେବାକୁ ଦଳ ଦାବି କରିଛି ।

ତାଙ୍କ ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ୟୁପିଏ ସରକାର ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ମଞ୍ଜୁର କରିନାହାନ୍ତି, ସେ କହିଛନ୍ତି ।

ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବା କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତି ଯୋଗୁଁ ସମାଜର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହାର ଶିକାର ହେଉଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ କ୍ଷେତ୍ରରେ ବିଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ଜିଲ୍ଲା ସଦରମହକୁମା ଗୁଡ଼ିକରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

କେନ୍ଦ୍ର ସରକାରରେ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡ଼ିଏ) ସମୟରେ ମିଳିଥିବା ପାଣ୍ଠି ତୁଳନାରେ ୟୁପିଏ ସରକାର ଠାରୁ ରାଜ୍ୟ ସରକାର ଅଧିକ ପାଣ୍ଠି ପାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ନିଜ ସରକାରର ବିଫଳତାକୁ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଥ୍ୟା ଅଭିଯୋଗ କରୁଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version