Site icon Odisha.com

ପଶ୍ଚିମ ଓଡ଼ିଶା ପାଇଁ ନିର୍ଦ୍ଧିଷ୍ଟ ଯୋଜନା ଆବଶ୍ୟକ: କମଳ କୁମାର(ସାକ୍ଷାତକାର)

ଓଡ଼ିଶା ଡ଼ଟ୍ କମ୍ : ମନୋଜ ଦାଶ

ଗତ ୧୦-୧୫ ବର୍ଷ ଭିତରେ ଓଡ଼ିଶାର ଉଲ୍ଲେଖନୀୟ ବିକାଶ ହୋଇଛି ମାତ୍ର ଅଳ୍ପ କେତେକ ଅଞ୍ଚଳରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

ବିଶେଷତଃ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଲୋକଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ସ୍ଥାନୀୟ ଲୋକଙ୍କ ସହଭାଗୀତାରେ ସଠିକ୍ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆବଶ୍ୟକ ବୋଲି ଦିଲ୍ଲୀରେ ରହୁଥିବା ଓଡ଼ିଶାର କମଳ କୁମାର ଓଡ଼ିଶା ଡ଼ଟ୍ କମ କୁ ଏକ ସାକ୍ଷାତକାରରେ କହିଛନ୍ତି ।

୧୯୯୨ରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇ ୨୦୦୩ରେ ସେଠାରେ ଏକ ଉଚ୍ଚମାନର ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ“ଏଲ୍ବିଆଇଆଇଏଚ୍ଏମ୍’ ପ୍ରତିଷ୍ଠା କରିଥିବା ଏହି ଯୁବ ଶିଳ୍ପୋଦ୍ୟୋଗୀ ଓଡ଼ିଶାରେ ଶିକ୍ଷାର ମାନ ଉନ୍ନତି ପାଇଁ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଗତ କେତେ ବର୍ଷ ଧରି ପଶ୍ଚିମ ଓଡ଼ିଶାରେ କିପରି ଅଧିକ ଭଲ ସ୍କୁଲ ପ୍ରତିଷ୍ଠା ହୋଇପାରିବ ସେ ଦିଗରେ ସେ ଉଦ୍ୟମ ଅବ୍ୟାହତ ରଖିଥିବା କହିଛନ୍ତି ।

ଦିଲ୍ଲୀରେ ଥିବା କମଳଙ୍କର ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଆଇଏସ୍ଓ ୯୦୦୧-୨୦୦୮ ମାନ୍ୟତା ପାଇଛି ଓ ଏହାକୁ ଦିଲ୍ଲୀ-ଏନ୍ସିଆ ର୍ଦ୍ୱିତୀୟ ଭଲ ହୋଟେଲ ମ୍ୟାନଜମେଣ୍ଟ ଇନଷ୍ଟିଚ୍ୟୁଟ ଭାବେ ସ୍ୱୀକୃତି ପ୍ରଦାନ କରିଛି ।

୧୯୭୫ ଅପ୍ରେଲ ୧୭ରେ ଜନ୍ମ ଗ୍ରହଣ କରିଥିବା କମଳ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲରୁ ୧୯୯୦ରେ ମ୍ୟାଟ୍ରିକ ପାସ୍ କରିବା ପରେ ୧୯୯୨ରେ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ବିଜ୍ଞାନରେ ୮୯ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ।

ଏହା ପରେ ଦିଲ୍ଲୀ ବିଶ୍ୱବି୍ଦ୍ୟାଳୟରୁ ଅର୍ଥନୀତି ସମ୍ମାନରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ସହ ୧୯୯୫-୯୭ରେ ଭୁବନେଶ୍ୱର ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ ଡ଼ିଗ୍ରୀ ହାସଲ କରିଛନ୍ତି ।

ବାପା ଏବଂ ବଡ଼ଭାଇଙ୍କ ସମେତ ପରିବାରର ଅନ୍ୟମାନେ ଜୁନାଗଡ଼ରେ ଚାଉଳ କଳ ପ୍ରତିଷ୍ଠା କରି ଏହି ପାରମ୍ପାରିକ ବ୍ୟବସାୟରେ ନିଜକୁ ବ୍ୟସ୍ତ ରଖିଥିବା ବେଳେ କମଳ କିନ୍ତୁ ନିଜକୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଦେଖିବାକୁ ଚାହିଁଥିଲେ । ଏହି ଲକ୍ଷ୍ୟ ରଖି ୧୯୯୯ ଏବଂ ୨୦୦୦ରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରାପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ସେ ଦେଇଥିଲେ । ତେବେ ବିଧାତା ତାଙ୍କ ପାଇଁ ଅନ୍ୟ କିଛି ସ୍ଥିର କରିଥିଲା ।

ଓଡ଼ିଶା ଡ଼ଟ୍ କମ୍: କେତେ ବର୍ଷ ହେଲା ଆପଣ ଓଡ଼ିଶା ବାହାରେ ଅଛନ୍ତି ? କାହିଁକି ଆପଣ ଓଡ଼ିଶା ଛାଡ଼ିଲେ? ଆପଣଙ୍କର ସଂଗ୍ରାମ, ପାରିବାରିକ ଜୀବନ ଏବଂ ଓଡ଼ିଶା ଯିବା ଆସିବା ବିଷୟରେ କହିବେ କି?

କମଳ: ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ସ୍ନାତକ ପଢିବା ପାଇଁ ୧୯୯୨ରୁ ମୁଁ ଓଡ଼ିଶା ବାହାରେ ଅଛି । ତା’ପରେ ଏମବିଏ କରିବା ପାଇଁ ୧୯୯୫-୯୭ ପର୍ଯ୍ୟନ୍ତ ଓଡ଼ିଶା ଆସି ପୁଣି ୧୯୯୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ରହୁଛି କିନ୍ତୁ ପ୍ରତିବର୍ଷ ଓଡ଼ିଶାକୁ ଯାଇଥାଏ । ପର୍ବପର୍ବାଣି ସମୟରେ ପରିବାର ଲୋକଙ୍କ ସହ ରହିଥାଏ ।

ଓଡ଼ିଶା ଲୋକଙ୍କ ନିମନ୍ତେ କିଛି ଭଲ କାମ କରିବା ପାଇଁ ଅଧିକ ଜ୍ଞାନ ଆହରଣ ଲକ୍ଷ୍ୟରେ ରାଜ୍ୟ ବାହାରକୁ ଆସିଛି । ଗ୍ରହଣ କରିଥିବା ପେଶା ମୋତେ ରାଜ୍ୟ ବାହାରେ ରହିବାକୁ ବାଧ୍ୟ କରୁଛି କିନ୍ତୁ ମୋର ହୃଦୟ ଓଡ଼ିଶାରେ ରହିଛି ।

ଯଦିଓ ଏହି ଜୀବନ ଯାତ୍ରା ଏତେଟା ସହଜ ଓ ସୁଗମ ନୁହେଁ ତଥାପି ଭଗବାନଙ୍କ ଆଶିର୍ବାଦରୁ ଛୋଟ ହେଉ ପଛେ କିଛି ପରିମାଣରେ ମୁଁ କୃତକାର୍ଯ୍ୟ ହୋଇଛି । ଏହା ଭଗବାନ, ବାପା ମା’ଙ୍କ ଆଶିର୍ବାଦ ତଥା ଶୁଭେଚ୍ଛୁଙ୍କ ଯୋଗୁଁ ସମ୍ଭବ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍: ଦିଲ୍ଲୀରେ ଆପଣ କରୁଥିବା କାର୍ଯ୍ୟ ଓ ବ୍ୟବସାୟ ସଂପର୍କରେ କିଛି କହିବେ କି?

କମଳ:୨୦୦୩ରୁ ଆମେ ଆଇଏସ୍ଓ ୯୦୦୧-୨୦୦୮ ମାନ୍ୟତାପ୍ରାପ୍ତ “ଏଲ୍ବିଆଇଆଇଏଚ୍ଏମ୍’ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ କରିଛୁ ଏବଂ ଗତ ଆଠ ବର୍ଷ ମଧ୍ୟରେ ଏହା ଦିଲ୍ଲୀ-ଏନ୍ସିଆର୍ର ର ଦ୍ୱିତୀୟ ଭଲ ହୋଟେଲ ମ୍ୟାନଜମେଣ୍ଟ ଇନଷ୍ଟିଚ୍ୟୁଟ ଭାବେ ପରିଗଣିତ ହୋଇଛି ।

ଅଗଷ୍ଟ ୨୦୧୦ରେ ଆମେ ଦିଲ୍ଲୀ ହାଟରେ ଥିବା ଓଡ଼ିଆ ଫୁଡ଼ ଷ୍ଟଲର ଦା।ୟୀତ୍ୱ ନେଲୁ । ଓଡ଼ିଶାର ପର୍ଯ୍ୟଟନ ବିଭାଗ ସହଭାଗିତାରେ ଆମେ ଏହି କାର୍ଯ୍ୟ ତୁଲାଉଛୁ । ଏଠାରେ ଓଡ଼ିଆ ଖା୍ଦ୍ୟ ପ୍ରତି ଅଣ ଓଡ଼ିଆ ଲୋକଙ୍କ ଚାହିଦା ଏବଂ ଆଗ୍ରହ ଆମକୁ ଉତ୍ଫୁଲ୍ଲିତ କରିଛି ।

ଗତ ବର୍ଷ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ସଂପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମୋତେ “ପ୍ରତିଷ୍ଠିତ ନାଗରିକ’ ଭାବେ ମନୋନୀତ କରିଥିଲା । ମୁଁ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିଥିଲି ।

ଓଡ଼ିଶା ଡ଼ଟ୍ କମ୍: ବର୍ତ୍ତମାନ ଓଡ଼ିଶା କେଉଁ କେଉଁ ଅସୁବିଧାର ସମ୍ମୁଖିନ ହେଉଛି ଏବଂ ଏହାପାଇଁ କ’ଣ କରିବା ଦରକାର?

କମଳ: ଗତ ୧୦-୧୫ ବର୍ଷ ଭିତରେ ଓଡ଼ିଶାର ଉଲ୍ଲେଖନୀୟ ବିକାଶ ହୋଇଛି ମାତ୍ର ଅଳ୍ପ କେତେକ ଅଞ୍ଚଳରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

ବିଶେଷତଃ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଲୋକଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ବର୍ତ୍ତମାନ ପରିସ୍ଥିତିରେ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହ ସ୍ଥାନୀୟ ସହଭାଗିତା ଜରୁରୀ । ଠିକ୍ ସେହିପରି ଉପଯୁକ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବସମ୍ବଳର ବିକାଶର ଜରୁରୀ ଆବଶ୍ୟକତା ରହିଛି ।

ଓଡ଼ିଶା ଡ଼ଟ୍ କମ୍: ଏହାର ସମାଧାନ କିପରି ହୋଇପାରିବ? ଏଥିରେ ଆପଣ କିପରି ସାମିଲ ହେବେ?

କମଳ: ଓଡ଼ିଶାରେ ଶିକ୍ଷାର ବିକାଶ ଦିଗରେ ମୁଁ ଚେଷ୍ଟା କରୁଛି ଏବଂ କରିବି । ଏଥିପାଇଁ ପଶ୍ଚିମ ଓଡ଼ିଶାରେ କେତେକ ଉଚ୍ଚ ମାନର ସ୍କୁଲ ପ୍ରତିଷ୍ଠା ପାଇଁ ଆମେ ଉଦ୍ୟମ ଆରମ୍ଭ କରିଛୁ ।

ଓଡ଼ିଶା ଡ଼ଟ୍ କମ୍: ଦିଲ୍ଲୀରେ ଓଡ଼ିଆ ଲୋକଙ୍କ ପାଇଁ ତଥା ଓଡ଼ିଶାର ବିକାଶ ସଂପର୍କିତ କୌଣସି କାର୍ଯ୍ୟରେ ଆପଣ ସଂପୃକ୍ତ କି? ଯଦି ହଁ ତେବେ ଏହା କ’ଣ?

କମଳ: ଦିଲ୍ଲୀର କେତେକ ଓଡ଼ିଆ ସଂଗଠନ ସହିତ ମୁଁ ଜଡ଼ିତ ଏବଂ ଓଡ଼ିଶା ଫୋରମ୍, ଓଡ଼ିଆ ସମାଜ, ଜଗନ୍ନାଥ ମନ୍ଦିର(ରୋହିନି) ଭଳି କେତେକ ସଂଗଠନର ସଭ୍ୟ ।

ନିକଟରେ ଏଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଉତ୍ସବରେ ମୁଁ ସିଧାସଳଖ ସଂପୃକ୍ତ ଥିଲି । ପ୍ରତିବର୍ଷ ଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବରେ ପାଳକ କରାଯାଉଛି ଏବଂ ଦୀର୍ଘ ଆଠବର୍ଷ ହେଲା ମୁଁ ଏଥିରେ ଜଡ଼ିତ ।

ଓଡ଼ିଶା ଡ଼ଟ୍ କମ୍: ସବୁଦିନ ପାଇଁ ଓଡ଼ିଶା ଫେରିଆସିବାକୁ ଆପଣଙ୍କର ଯୋଜନା ଅଛି କି? କିମ୍ବା ଦିଲ୍ଲୀରେ ରହିବାକୁ ଯୋଜନା କରିଛନ୍ତି?

କମଳ: ପେଶା ଯୋଗୁଁ ସବୁଦିନ ପାଇଁ ଓଡ଼ିଶା ଫେରିବା ସମ୍ଭବ ହୋଇନପାରେ ତେବେ ଘରକୁ ଯିବା ଆସିବା ଚାଲିଥିବ । ଓଡ଼ିଶା ମୋର ପ୍ରଥମ ଘର ଏବଂ ଦିଲ୍ଲୀ ଦ୍ୱିତୀୟ ।

ଓଡ଼ିଶା ଡ଼ଟ୍ କମ୍: ଆପଣଙ୍କ ଭବିଷ୍ୟତ ଯୋଜନା କଣ?

କମଳ: ଯଦିଓ କିଛି ନିଶ୍ଚିତ କାର୍ଯ୍ୟପନ୍ଥା ଯୋଜନା ନାହିଁ ତେବେ ବର୍ତ୍ତମାନ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାକୁ ଅନ୍ୟ ସ୍ଥାନକୁ ସଂପ୍ରସାରିତ କରିବାକୁ ଚାହୁଁଛି । ସେଥି ମଧ୍ୟରୁ ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ଏଭଳି ଏକ ସଂସ୍ଥା ପ୍ରତିଷ୍ଠା କରିପାରେ ।

ଠିକ୍ ସେହିପରି ଓଡ଼ିଆ ଖା୍ଦ୍ୟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ସ୍ଥାନରେ ଓଡ଼ିଶା ଫୁଡ଼ ରେଷ୍ଟୁରାଣ୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଛେନାପୋଡ଼ ମଧ୍ୟ ଗୁଲାବ ଜାମୁନ, ରସଗୋଲା ଭଳି ବିକ୍ରି ହେଉ ବୋଲି ବ୍ୟକ୍ତିଗତ ଭାବେ ମୁଁ ଚାହେଁ ।

ଓଡ଼ିଶା ଡ଼ଟ୍ କମ୍: ଆପଣଙ୍କ ଅନୁଷ୍ଠାନରେ ଓଡ଼ିଆ ଖା୍ଦ୍ୟ ସମ୍ବନ୍ଧିୟ ପାଠ୍ୟକ୍ରମର ଚାହିଦା କିପରି?

କମଳ: ପ୍ରଥମ ଥର ପାଇଁ ପାଠ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖା୍ଦ୍ୟ ସଂପର୍କରେ ଲୋକ ମାନଙ୍କୁ ତାଲିମ ଦିଆଯାଉଛି ଏବଂ ଏହା ସମସ୍ତଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଏ ବର୍ଷ କେବଳ ୧୫ ଜଣ ଛାତ୍ରଙ୍କୁ ନେବା ପାଇଁ ସ୍ଥିର କରାଯାଇଛି । ଶିକ୍ଷାଲାଭ ପରେ ସେମାନେ ଓଡ଼ିଆ ଖା୍ଦ୍ୟ ରାଷ୍ଟ୍ରୂଦୂତ ଭାବେ କାର୍ଯ୍ୟ କରି ଏହାର ପ୍ରଚାର ପ୍ରସାର କରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version