Site icon Odisha.com

କାନାଡ଼ାରେ ପ୍ରବାସୀ ଓଡ଼ିଆଙ୍କ ସ୍ୱାଧିନତା ଦିବସ

ବିଶ୍ୱ ରଂଜନ ପଟ୍ଟନାୟକ

ମାଲଟନ୍, ଅଗଷ୍ଟ ୩୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ କାନାଡ଼ାରେ ଭାରତର ୬୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ଗତ ୨୦ ତାରିଖରେ ମାଲଟନ୍ ସ୍ଥିତ ୱାଇଲ୍ଡ ଉଡ଼ ପାର୍କରେ ଏହା ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗେଇ ମଣ୍ଟ୍ରେଲର ଡ଼ା.ରମଣ ନାୟାଦର ପତାକା ଉତ୍ତୋଳନ କରିଥିଲେ ।

ଆଇଆଇଟି ଖଡ଼ଗପୁର ତଥା ବ୍ରିଟିସ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡ଼ିଗ୍ରୀ ହାସଲ କରିଥିବା ନାୟାଦର ଡ଼ୋମତାରର ଉପସଭାପତି ଭାବେ ଅବସର ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ସେ ପେପର ପ୍ରଯୁକ୍ତି ବିଦ୍ୟାର ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ସେ ମଣ୍ଟ୍ରେଲରେ ଥିବା କବୀର ସୋସାଇଟିର ଏକ୍ଜ୍ୟୁକ୍ୟୁଟିଭ କମିଟିରେ ଅଛନ୍ତି ।

ଏହି ଅବସରରେ ୯ରୁ ୧୬ ବର୍ଷ ବୟସର ପିଲାମାନେ ସ୍ୱାଧୀନତା ସଂଗ୍ରାମ ସଂପର୍କରେ କିଛି ସମୟ ପାଇଁ ବକ୍ତୃତା ପ୍ରାନ କରିଥିଲେ । ବେୀତ୍ତ ମିଶ୍ର, ଅଙ୍କିତା ମିଶ୍ର ଏବଂ ରେହା ଦାଶ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ହାସଲ କରିଥିଲେ ।

ପୂର୍ବରୁ ପ୍ରସ୍ତୁତ ନହୋଇ ଏହି ବିଷୟରେ ବକ୍ତୃତା ଦେଇଥିବା ସିମରନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ବଡ଼ ଲୋକଙ୍କ ତତ୍ୱାବଧାନରେ ତଥା ମିସିସାଉଗା ସହରର ସହଯୋଗରେ ଉପସ୍ଥିତ ପିଲାମାନେ ପାର୍କର କେତେକ ଅଂଶ ସଫା କରିଥିଲେ ।

ଏହିଦିନ ପାଣିପାଗ ଠିକ୍ ଥିବାରୁ ଛୋଟ ପିଲା ତଥା ବଡ଼ମାନେ କ୍ରିକେଟ, ଭଲିବଲ, ବ୍ୟାଡ଼ମିଣ୍ଟନ ଖେଳି ଉପଭୋଗ କରିଥିଲେ । ଶେଷରେ ସ୍ୱେଚ୍ଛାସେବୀମାନେ ସେଠାରେ ରୋଷେଇ କରିଥିଲେ ଏବଂ ସମସ୍ତେ ଆନନ୍ଦରେ ଭୋଜନ କରିଥିଲେ ।

ଗତ ପାଞ୍ଚ ବର୍ଷ ହେଲା ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ ପ୍ରତି ବର୍ଷ ଗ୍ରେଟର ଟରୋଣ୍ଟୋରେ ସ୍ୱାଧୀନତା ଦିବସ ପାଳିତ ହୋଇଆସୁଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହା ଅତି ଆନନ୍ଦ ସହକାରେ ପାଳିତ ହୋଇଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version