ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାଉରକେଲା, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ବନ୍ୟଜନ୍ତୁଙ୍କ ଗୁରୁତ୍ୱ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ “ଜୁ ଶିକ୍ଷା କାର୍ଯ୍ୟକ୍ରମ”ର ଆୟୋଜନ କରାଯାଇଥିବା ରବିବାର ଜଣେ ଅଧିକାରୀ କହିଛନ୍ତି ।
କାରଖାନାର ଉଦ୍ୟାନ ବିଭାଗ ପକ୍ଷରୁ ଗତ ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଜି ରାଉତ ଶିକ୍ଷା ନିକେତନର ୯୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଜୈବମଣ୍ଡଳରେ ସନ୍ତୁଳନ ରକ୍ଷା ସହ ପୃଥିବୀକୁ ଜୀବଜଗତ ପାଇଁ ଏକ ଆଦର୍ଶ ବାସସ୍ଥଳୀରେ ପରିଣତ କରିବା ନିମନ୍ତେ ପ୍ରାଣୀ ଓ ଉଦ୍ଭିଦର ଭୂମିକା ଉପରେ ଡ଼ିଏଫ୍ଓ ଏ.କେ.ବେହେରା ଆଲୋକପାତ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଜୀବନରେ ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ଉପାଦେୟତା ଉପରେ ଅବଚେତନ
କରାଇବା ଲକ୍ଷ୍ୟରେ ପ୍ରତି ବର୍ଷ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ଏଥିରେ ଯୋଗଦେଇ ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ମହାପ୍ରବନ୍ଧକ ଏଚ୍.ମିଶ୍ର କହିଥିଲେ ।
ଏହା ଚଳିତ ବର୍ଷର ଚତୁର୍ଥ ଜୁ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଆଉ ଏଭଳି ଚାରୋଟି କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ରଖାଯାଇଥିବା ଅଧିକାରୀ ଜଣକ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply