Site icon Odisha.com

ପୋସ୍କୋ ଅଧିକାରୀଙ୍କୁ ଆକ୍ରମଣ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଞ୍ଚଳକୁ ଯାଇଥିବା କମ୍ପାନୀର ଅଧିକାରୀଙ୍କୁ ମଙ୍ଗଳବାର ନୂଆଗାଁରେ ଶତାଧିକ ପୁରୁଷ ଓ ମହିଳାମାନେ ଆକ୍ରମଣ କରିଛନ୍ତି ।

କମ୍ପାନୀର ଉପ ମହାପ୍ରବନ୍ଧକ ସଂପୃକ୍ତ ଅଞ୍ଚଳକୁ ଗଛ କାଟିବା ତଥା ଚିଙ୍ଗୁଡ଼ି ଘେରି ଭାଙ୍ଗିବାକୁ ଯାଇଥିବା ବେଳେ ଲୋକମାନେ ଆକ୍ରମଣ କରିଛନ୍ତି । ଗତ ମାସରେ ପୋସ୍କୋ ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପ୍ରାୟ ୧୫ ହଜାର ଗଛ କାଟି ସାରିଥିବା ବେଳେ ଏନେଇ ଲୋକମାନେ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ।

ତେବେ ସଂପୃକ୍ତ ଅଧିକାରୀଙ୍କ ନେତୃତ୍ୱରେ ଇଡ଼୍କୋ ଅଧିକାରୀ ସଂଗ୍ରାମ ମହାପାତ୍ର ଚାରୋଟି ଗଛ କଟା ଯନ୍ତ୍ର ଧରି ଗଛ କାଟିବାକୁ ସେଠାରେ ପହଞ୍ଚିବାରୁ ଲୋକମାନେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା ।

ତେବେ ପାନବରଜ ଭାଙ୍ଗିବା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସାତ ଜଣଙ୍କୁ କ୍ଷତିପୂରଣ ଦେବାକୁ ପୋସ୍କୋ କମ୍ପାନୀ ଏବଂ ଇଡ଼୍କୋ ଅଧିକାରୀ ମନା କରିଦେଇଥିବା ବଡ଼ଘାଇପାଇ ଜଙ୍ଗଲ କମିଟିର ସସ୍ୟମାନେ ଅଭିଯୋଗ କରିଛନ୍ତି ।

ନିଜର ଦାବି ଉପସ୍ଥାପନ କରିଥିବା ବେଳେ ସଂପୃକ୍ତ ଅଧିକାରୀମାନେ ଆମକୁ ଏବଂ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଜଣେ ପ୍ରଭାବିତ ଅକ୍ଷୟ ସାମଲ କହିଛନ୍ତି ।

ଲୋକଙ୍କ ଆକ୍ରମଣରେ ଆହତ ପୋସ୍କୋ ଅଧିକାରୀ ଏବଂ ଅନ୍ୟମାନଙ୍କୁ କୁଜଙ୍ଗ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବା ମହାପାତ୍ର କହିଛନ୍ତି ।

ତେବେ ଉକ୍ତ କମିଟିର ଲୋକମାନେ ମିଛରେ ପାନବରଜ ଏବଂ ଚିଙ୍ଗୁଡ଼ି ଘେରି ଭାଙ୍ଗିବା ନେଇ କ୍ଷତିପୂରଣ ଦାବି କରୁଥିବାରୁ ଅଧିକାରୀମାନେ କ୍ଷତିପୂରଣ ରାଶି ଦେବାକୁ ମନା କରିଦେଇଥିଲେ ଏବଂ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା ବୋଲି ସେ କହିଛନ୍ତି । ଚିଙ୍ଗୁଡ଼ି ଘେରି ପାଇଁ କମ୍ପାନୀ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇସାରିଥିବା ସେ କହିଛନ୍ତି ।

ଏନେଇ ସେ ଆକ୍ରମଣକାରୀଙ୍କ ବିରୋଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା କୁଜଙ୍ଗ ଆଇଆଇସି ଗୁପ୍ତେଶ୍ୱର ଭୋଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version