Site icon Odisha.com

ଓରିସା ହେଲା ଓଡ଼ିଶା: ରାଜ୍ୟରେ ଖୁସିର ଲହରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଇଂରାଜୀରେ ବ୍ୟବହୃତ ଓରିସା ଓ ଓରିଆ ନାମ ସଂଶୋଧନ ସଂକ୍ରାନ୍ତୀୟ ବିଧେୟକ ଶୁକ୍ରବାର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଅନୁମୋଦନ ଲାଭ କରିଥିବାରୁ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଖବର ପହଞ୍ଚିବା ମାତ୍ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ପରସ୍ପର ମଧ୍ୟରେ ମିଠା ବାଣ୍ଟିଥିଲେ ଓ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ଐିତିହାସିକ ନିଷ୍ପତି ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

ଶୁକ୍ରବାର ବିଜ୍ଞପ୍ତି ପ୍ରକାଶିତ ହେବାପରେ ଆନୁଷ୍ଠାନିକ ଭାବେ ଇଂରାଜୀ ବନାନ ଓରିଶା ଓ ଓରିଆ ପରିବର୍ତନ ହୋଇ ଯଥାକ୍ରମେ ଓଡ଼ିଶା ଓ ଓଡ଼ିଆ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟବହୃତ ହେବାର ପଥ ପରିଷ୍କାର ହୋଇଯାଇଛି ।

ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ରାଜ୍ୟର ନାମକୁ ଇଂରାଜୀରେ ଭୁଲ୍ ଭାବେ “ଓରିସା” ଏବଂ ହିନ୍ଦୀରେ
“ଉଡିଶା” ଲେଖାଯାଇଥିବାରୁ ଏହାର ସଂଶୋଧନ ନିମନ୍ତେ ୨୦୦୮ ଅଗଷ୍ଟରେ ବିଧାନସଭାରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ।

ଗତ ସେପ୍ଟେମ୍ବର ୬ ତାରିଖରେ ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା ଏବଂ ୩୦୧ ଜଣ ସଦସ୍ୟ ଏହା
ସପକ୍ଷରେ ଭୋଟ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version