Site icon Odisha.com

କାର୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୦ (ଓଡିଶା ଡଟ୍ କମ୍) ଗୁରୁବାର ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ସମୁଦ୍ରରେ ଡ଼ଙ୍ଗା ଭସାଇବା ତଥା ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଆଜି ସକାଳୁ ସମୁଦ୍ରରେ ବହୁ ଲୋକ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି । କାର୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜ ରାଜେଶ୍ୱରବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି ।

ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ଭକ୍ତମାନେ ଶାନ୍ତିଶୃଙ୍ଖଳାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ କରାଯାଇଥିବା ବେଳେ ପ୍ରବଳ ଜନ ସମାଗମ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀ ବ୍ୟତୀତ ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗର, ଦୟାନଦୀ , କୁଆଖାଇ, କଟକର କାଠଯୋଡି, ପାରାୀଦିପ, ଓ ଅନ୍ୟାନ୍ୟ ନଦୀ ଗୁଡିକରେ ପୁରୁଷ, ମହିଳା ଓ ଶିଶୁମାନେ ଡଙ୍ଗା ଭସାଇଛନ୍ତି ।

ଦେବାଦେବୀ ଙ୍କୁ ପୂଜା କରିବା ପାଇଁ ଶ୍ରୀମନ୍ଦିର ସମେତ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର ଓ ଅନ୍ୟ ଶୈବପୀଠ ଗୁଡ଼ିକରେ ବହୁ ଭକ୍ତଙ୍କ ସମାଗମ ହୋଇଛି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସେହିପରି କଟକ, ପାରାୀପ, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, କୋଣାର୍କର ଚନ୍ଦ୍ରଭାଗା ଓ ବ୍ରହ୍ମପୁରରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version