Site icon Odisha.com

ପୋସ୍କୋ ଅଂଚଳରେ ଶିଶୁ ଅଧିକାର ସୁରକ୍ଷା କମିଶନ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳର ସ୍କୁଲ ଗୁଡ଼ିକରୁ ସୁରକ୍ଷା କର୍ମୀଙ୍କୁ ହଟାଇବା ପରେ ସେଠାକାର ପରିସ୍ଥିତି ଅନୁଧ୍ୟାନ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ସଦସ୍ୟମାନେ ସୋମବାର ସଂପୃକ୍ତ ଅଂଚଳ ଗସ୍ତକରି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ।

କମିଶନର ସଦସ୍ୟ ସଚିବ ୟୋଗେଶ ଦୁବେଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବାଲିତୁଠ ପ୍ରାଥମିକ ସ୍କୁଲ
ପରିଦର୍ଶନ କରି ପୋଲିସ କର୍ମଚାରୀଙ୍କୁ ଏଠାରୁ ହଟାଇ ନିଆଯାଇଥିବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।

ଠିକ୍ ସମୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ସୁରକ୍ଷାକର୍ମୀଙ୍କୁ ହଟାଇ ନିଆଯାଇଥିବାରୁ ସେ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

“”ସ୍କୁଲରୁ ସୁରକ୍ଷା କର୍ମୀଙ୍କୁ ହଟାଯାଇଥିବାରୁ ଛାତ୍ରଛାତ୍ରୀମାନେ ବର୍ତମାନ ନିର୍ଭୟରେ ଅଛନ୍ତି । ଶିଶୁ ମାନଙ୍କ ସୁରକ୍ଷା ପାଇଁ ଆମେ ପ୍ରତିଶୃତି ଦେଇଥିଲୁ ତେଣୁ ପରିସ୍ଥିତି ଜାଣିବା ପାଇଁ ସ୍କୁଲକୁ ଆସିଛୁ” ଦୁବେ କହିଛନ୍ତି ।

ସେ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏଠାରେ ସୁରକ୍ଷା କର୍ମୀ ବାଦ ପୋଲିସ ରହୁଥିବା ବେଳେ ସ୍କୁଲକୁ ବହୁତ୍ କମ୍ ଛାତ୍ରଛାତ୍ରୀ ଆସୁଥଲେ ଏବଂ ବର୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସମୁାୟ ୧୦୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସୋମବାର ୮୪ ଜଣ ଆସିଛନ୍ତି” ସେ କହିଛନ୍ତି ।

ଶିଶୁ ଦିବସ ଅବସରେ ସେ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଏବଂ ପୋଷାକ ବଂଟନ କରିଥିବା ବେଳେ ଭବିଷ୍ୟତରେ ବଡ଼ ମଣିଷ ହୋଇ ଜାତୀୟ ସ୍ତରରେ ବାଲିତୁଠ ଅଂଚଳର ନାଁ ରଖିବାକୁ ସେମାନଙ୍କୁ ଉପଶେ ଦେଇଛନ୍ତି ।

କମିଶନଙ୍କ ହସ୍ତକ୍ଷେପ ପରେ ସ୍କୁଲରୁ ସୁରକ୍ଷା କର୍ମୀଙ୍କୁ ହଟାଇ ନିଆଯାଇ ଅନ୍ୟ ସ୍ଥାନରେ ରଖାଯାଇଛି ବୋଲି ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନା କହିଛନ୍ତି ।

ପୋସ୍କୋ ପ୍ରକଳ୍ପ ପାଇଁ ଜିଲ୍ଲାର ପ୍ରାୟ ଚାରୋଟି ସ୍କୁଲରେ ପୋଲିସ କର୍ମଚାରୀ ରହିବା ପରେ ଗତ ୧୦ରୁ ୧୫ ମାସ ପର୍ଯ୍ୟନ୍ତ ଏଠାରେ ପାଠ ପଢା ବ୍ୟାହତ ହୋଇଥିଲା ।

ସ୍ଥାନୀୟ ଲୋକ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଏସଂପର୍କରେ ଅଭିଯୋଗ ହେବା ପରେ ଗତ ଜୁଲାଇ ମାସରେ ଦୁବେଙ୍କ ନେତୃତ୍ୱରେ ଏକ ଦଳ ଏହି ଅଂଚଳ ଗସ୍ତ କରି ସ୍କୁଲରେ ସୁରକ୍ଷା କର୍ମୀ ରହୁଥିବା ନେଇ ଉଦେଗ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କୁ ହଟାଇବା ଦିଗରେ ପକ୍ଷେପ ନେବାକୁ ସରକାରଙ୍କୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version