ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ବାଳକଙ୍କ ଗୁରୁବାର ମୃତ୍ୟୁ ଘଟିଛି ।
କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଲାସାହି ଗ୍ରାମର ଦଶ ବର୍ଷ ବୟସ୍କ ପିଟୁଆ ଜେନାଙ୍କ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ସକାଳୁ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ତାଙ୍କ ଶରୀର ଶତପ୍ରତିଶତ ପୋଡ଼ି ଯାଇଥିଲା ବୋଲି ଡ଼ାକ୍ତରଖାନାର ଜଣେ ଡ଼ାକ୍ତର କହିଛନ୍ତି ।
ବୁଧବାର ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେବାକୁ ଲୋକମାନେ ଶୋଭାଯାତ୍ରାରେ ଯାଉଥିବା ସମୟରେ ଏକ ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ ସଂପୃକ୍ତ ବାଳକଙ୍କ ସହ ଅନ୍ୟ ଛଅ ଜଣ ଆହତ ହୋଇଥିଲେ ।
ସେମାନଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖନାରେ ଭର୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ବର୍ତମାନ ମଧ୍ୟ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।
ସଂପୃକ୍ତ ବାଳକଙ୍କ ମୃତୁ୍ୟ ପରେ ଗାଁ ଲୋକମାନେ ରାସ୍ତା ଅବରୋଧ କରିବା ସହ ପରିବାରକୁ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ।
ସେହିପରି ବଳରାମପୁର ଗ୍ରାମର ସୁଦାମ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଏହି ଘଟଣାକୁ ନେଇ ସମାବେଶର ଆୟୋଜକ ତଥା କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ଶୋଭାଯାତ୍ରାରେ ଯାଉଥିବା ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।
“ସୁଦାମଙ୍କ ପୂର୍ବରୁ ପୋଲିସ ନିଜଆଡ଼ୁ ଏତଲା ଦାଏର କରିସାରିଛି । ତେଣୁ ଗୋଟିଏ ମାମଲା ପାଇଁ ଦୁଇଟି ଏତଲାର ଆବଶ୍ୟକତା ନାହିଁ” କୁଜଙ୍ଗ ଥାନା ଅଧିକାରୀ ଗୁପ୍ତେଶ୍ୱର ଭୋଇ କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ବର୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍