Site icon Odisha.com

କଦୁଇ ସମାଜ ପକ୍ଷରୁ ଆଦିବାସୀ ସମାବେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) କଦୁଇ ସମାଜ ସମନ୍ୱୟ ସମିତିର ପ୍ରତିଷ୍ଠା ଦିବସ ଅବସରରେ ରବିବାର ଫୁଲବାଣୀରେ ଏକ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଛି ।

ଏହି ସମାବେଶରେ ପ୍ରାୟ ଆଠରୁ ଶ ହଜାର ଆଦିବାସୀ ପୁରୁଷ ଓ ମହିଳା ବିରାଟ ପଟୁଆରରେ
ପାରଂପରିକ ଅସ୍ତ୍ରଶସ୍ତ୍ର ଧରି ସହର ପରିକ୍ରମା କରିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ।

ସମନ୍ୱୟ ସମିତିର ୧୩ ବର୍ଷ ପୂର୍ତି ଅବସରରେ ଜିଲ୍ଲାର ତିନୋଟି କଦୁଇ ସମାଜ ସମେତ ଗଂଜାମ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ଆଦିବାସୀ ପ୍ରତିନିଧିମାନେ ଏହି ସଭାରେ ଯୋଗେଇ ଆଦିବାସୀଙ୍କ ପ୍ରତି ସରକାରୀ ଅବହେଳା ଉପରେ ଆଲୋକପାତ କରିଥିଲେ ।

ଆଦିବାସୀଙ୍କ ସମସ୍ୟା ନେଇ ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି
ପଦକ୍ଷେପ ଗ୍ରହଣ କରିନଥିବାରୁ ଆଗାମୀଦିନରେ ଜିଲ୍ଲା ବନ୍ଦ ଆନ୍ଦୋଳନ କରିବା ସହ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ନକଲି ସାର୍ଟିଫିକେଟ ଦ୍ୱାରାବିଭିନ୍ନ ପଦବୀରେ ଥିବା ବ୍ୟକ୍ତି ମାନଙ୍କୁ ୧୦/୧୫ଦିନ ମଧ୍ୟରେ ବହିଷ୍କାର କରିବେ ବୋଲି ଜିଲ୍ଲାପାଳ କହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି ।

ଆସନ୍ତା ୧୫ ତାରିଖ ମଧ୍ୟରେ ଆଦିବାସୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଯଥାଶୀଘ୍ର ଦାବି ପୂରଣ
ନକଲେ ବଡ଼ଦିନ ପୂର୍ବରୁ ଚାରିଦିନ ପାଇଁ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ସେମାନେ ଧମକ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version