ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଫୁଲବାଣୀ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) କଦୁଇ ସମାଜ ସମନ୍ୱୟ ସମିତିର ପ୍ରତିଷ୍ଠା ଦିବସ ଅବସରରେ ରବିବାର ଫୁଲବାଣୀରେ ଏକ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଛି ।
ଏହି ସମାବେଶରେ ପ୍ରାୟ ଆଠରୁ ଶ ହଜାର ଆଦିବାସୀ ପୁରୁଷ ଓ ମହିଳା ବିରାଟ ପଟୁଆରରେ
ପାରଂପରିକ ଅସ୍ତ୍ରଶସ୍ତ୍ର ଧରି ସହର ପରିକ୍ରମା କରିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ।
ସମନ୍ୱୟ ସମିତିର ୧୩ ବର୍ଷ ପୂର୍ତି ଅବସରରେ ଜିଲ୍ଲାର ତିନୋଟି କଦୁଇ ସମାଜ ସମେତ ଗଂଜାମ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ଆଦିବାସୀ ପ୍ରତିନିଧିମାନେ ଏହି ସଭାରେ ଯୋଗେଇ ଆଦିବାସୀଙ୍କ ପ୍ରତି ସରକାରୀ ଅବହେଳା ଉପରେ ଆଲୋକପାତ କରିଥିଲେ ।
ଆଦିବାସୀଙ୍କ ସମସ୍ୟା ନେଇ ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି
ପଦକ୍ଷେପ ଗ୍ରହଣ କରିନଥିବାରୁ ଆଗାମୀଦିନରେ ଜିଲ୍ଲା ବନ୍ଦ ଆନ୍ଦୋଳନ କରିବା ସହ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ନକଲି ସାର୍ଟିଫିକେଟ ଦ୍ୱାରାବିଭିନ୍ନ ପଦବୀରେ ଥିବା ବ୍ୟକ୍ତି ମାନଙ୍କୁ ୧୦/୧୫ଦିନ ମଧ୍ୟରେ ବହିଷ୍କାର କରିବେ ବୋଲି ଜିଲ୍ଲାପାଳ କହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି ।
ଆସନ୍ତା ୧୫ ତାରିଖ ମଧ୍ୟରେ ଆଦିବାସୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଯଥାଶୀଘ୍ର ଦାବି ପୂରଣ
ନକଲେ ବଡ଼ଦିନ ପୂର୍ବରୁ ଚାରିଦିନ ପାଇଁ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ସେମାନେ ଧମକ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍