Site icon Odisha.com

ଇ-ସ୍ୱାସ୍ଥ୍ୟ ନିର୍ମାଣ ତଦାରଖ ବ୍ୟବସ୍ଥାର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ବିକାଶ ନିମନ୍ତେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତଦାରଖ ପାଇଁ ସୋମବାର ଇ-ସ୍ୱାସ୍ଥ୍ୟ ନିର୍ମାଣ ତଦାରଖ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ବିବରଣୀ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ବିଭାଗର ୱେବ ସାଇଟ୍ରେ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ ସ୍ତରରେ ସମସ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର , ପ୍ରଶାସନିକ ମଞ୍ଜୁରୀ , ଟେଣ୍ଡର , ଅର୍ଥ ବରାଦ ଓ ବ୍ୟୟ ଏବଂ ପ୍ରକଳ୍ପ ଅଗ୍ରଗତି ଆଦି ସମସ୍ତ ବିଷୟରେ ଜିଲ୍ଲା ଠାରୁ ବ୍ଲକ୍ ପର୍ଯ୍ୟନ୍ତ ତଦାରଖ କରାଯାଇପାରିବ ଏବଂ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ।

ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରଦାନ କରୁଥିବା ଅର୍ଥ ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଆସୁଥିବା ଅର୍ଥକୁ ବିନିଯୋଗ କରି ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ପ୍ରାୟ ୫୧୫ କୋଟି ୯୭ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ୬୩୪୪ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।

ସେଥିରୁ ଏ ପର୍ଯ୍ୟନ୍ତ ପ୍ରାୟ ୨୬୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୨୭୪୩ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ୨୪୫୩ଟି ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧୀନ ଅଛି । ବାକି ୧୧୪୮ଟିର କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଏହି ଅବସରରେ ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version