Site icon Odisha.com

୩୦ ସୁଦ୍ଧା ସାଇକେଲ ଚେକ୍ ପ୍ରଦାନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ସରକାରଙ୍କ ସାଇକେଲ ଯୋଜନାରେ ଦଶମ ଶ୍ରେଣୀ ଛାତ୍ରୀ ଏବଂ ତଫସିଲଭୁକ୍ତ ଜାତି ଉପଜାତି ପୁଅ ମାନଙ୍କୁ ଦିଆଯାଉଥିବା ଚେକ୍ ଚଳିତ ମାସ ୩୦ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।

ସାଇକେଲ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୧୭ ହଜାର ୧୮୧ ଜଣଙ୍କୁ ଚେକ୍ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜଣାପଡ଼ିଛି ।

୩୦ ନଭେମ୍ବର ସୁଦ୍ଧା ସମସ୍ତ ୨ ଲକ୍ଷ ୭୦ ହଜାର ୯୮୩ ଜଣ ପିଲାଙ୍କୁ ସାଇକେଲ ବାବଦ ଚେକ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ତଥା ସରକାରୀ ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ସବୁ ଝିଅ ଏବଂ ପିପିଟି ଆଦିବାସୀ ଉପଯୋଜନାରେ ଶମ ଶ୍ରେଣୀରେ ପଢୁଥିବା ତପସିଲଭୁକ୍ତ ଜାତି ଓ  ଉପଜାତି ବର୍ଗର ପୁଅପିଲାଙ୍କୁ ଏହି ଯୋଜନାରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସାଇକେଲ ଯୋଗାଇ ଦେଇଛନ୍ତି ।

ସେହିପରି ୩୧ଜାନୁଆରୀ ୨୦୧୨ସୁଦ୍ଧା ଯେପରି ସମସ୍ତ ହିତାଧିକାରୀ ସାଇକେଲ କିଣିବେ ସେଥିପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ଯତ୍ନବାନ ହେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତମାନ ୨୧୧୫୯ ଜଣ ପିଲା ଏହି ଯୋଜନାରେ ସାଇକେଲ କିଣି ସାରିଛନ୍ତି । ଏହି ଯୋଜନାକୁ ତଦାରଖ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍କଲ ଇନ୍ସ୍ପେକ୍ଟର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଚେକ୍ ପ୍ରଦାନ ସଂପର୍କରେ ଯଦି କୌଣସି ପିଲାର କିଛି ଅଭିଯୋଗ ଥାଏ ତେବେ ସେମାନେ ଟୋଲ ଫ୍ରି ଷ୍ଟୁଡ଼େନ୍ଟ ହେଲ୍ପଲାଇନ ନମ୍ବର ୧୮୦୦୨୪୫୦୦୬୧ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଅନୁସୂଚିତ ଜାତି ଜନଜାତି ବର୍ଗର ପିଲା, ସମସ୍ତ ବର୍ଗର ଝିଅପିଲା ଏବଂ ବିପିଏଲ୍ ପରିବାରର ପିଲା ମାନଙ୍କୁ  ଡ଼ିସେମ୍ବର ୩୧ସୁଦ୍ଧା ମାଗଣାରେ ଚାରିହଳ ସ୍କୁଲ ୟୁନିଫର୍ମ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version