Site icon Odisha.com

ଅପହୃତ ଛାତ୍ର ଖୋର୍ଦ୍ଧାରୁ ଉଦ୍ଧାର, ଦମ୍ପତି ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) କଟକରେ ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ ହୋଇଥିବା ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ଖୋର୍ଦ୍ଧାରୁ ଉଦ୍ଧାର କରିଛି ।

ନିମସାହି ଅଞ୍ଚଳର ଦଶ ବର୍ଷ ବୟସ୍କ ଅବଦୁଲ ରେହେମାନଙ୍କୁ ପୋଲିସ ଶରଧାପୁର ଅଞ୍ଚଳରୁ  ମଙ୍ଗଳବାର ସଂଧ୍ୟାରେ ଉଦ୍ଧାର କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି ।

ଅପହରଣ କରିଥିବା ଦମ୍ପତି ବାଦଲ ଓରଫ ଜୁଲ ଫିକର ଅଲ୍ଲୀ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଘର ରାଜକନିକା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ବୋଲି ପୋଲିସ କହିଛି ।

ଉଭୟ ସ୍ୱାମୀ ସ୍ତ୍ରୀ ଅବଦୁଲଙ୍କୁ ଅପହରଣ କରି ଶରଧାପୁର ସ୍ଥିତ ତାଙ୍କ ଶ୍ୱଶୂର ଘରେ ରଖିଥିଲେ । ସେଠାରେ ତାଙ୍କୁ ମୁଣ୍ଡ ଜାମିନ ରଖି ୧୨ ଲକ୍ଷ ଟଙ୍କା ମାଗିଥିଲେ । ପରେ କଟକ ପୋଲିସ ଫୋନ୍ନ ମ୍ବରକୁ ଟ୍ରାକ୍ କରି ଖୋର୍ଦ୍ଧା ପୋଲିସ ସହ ଯୋଗାଯୋଗ କରିଥିଲା ।

ରବିବାର ସଂଧ୍ୟାରେ ଜଣେ ପଡ଼ୋଶୀ ଯୁବକ ରେହେମାନଙ୍କୁ ଟ୍ୟୁସନ ସ୍ଥାନରେ ଛାଡ଼ିବା ଓ ଟ୍ୟୁସନ ପରେ ଆଣିବାକୁ ଯାଇ ଆଉ ଫେରିନଥିବାରୁ ସଂପୃକ୍ତ ଛାତ୍ରଙ୍କୁ ଅପହରଣ କରିନିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅବଦୁଲ ଡ଼ିପିଏସ୍ କଳିଙ୍ଗ ବିଦ୍ୟାଳୟର ଛାତ୍ର ।

ଓଡ଼ିଶା ଡ଼ଟ୍ କମ୍

Exit mobile version