Site icon Odisha.com

ବିକାଶ ଆପାରେଲ ଟ୍ରେନିଂ ସେଂଟରକୁ ଆଇଏସ୍ଓ ମାନ୍ୟତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ସ୍ଥିତ ବିକାଶ ଆପାରେଲ ଟ୍ରେନିଂ ସେଂଟର ଆନ୍ତର୍ଜାତୀୟ ଆଇଏସ୍ଓ ୯୦୦୧ : ୨୦୦୮ ମାନ୍ୟତା ହାସଲ କରିଛି ।

ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦ୍ୱାରାପରିଚାଳିତ ଏହି ଆନ୍ତର୍ଜାତୀୟ ମାନ୍ୟତା ଉତ୍କର୍ଷତା ପାଇଁ ବିଭିନ୍ନ ଅନୁଷ୍ଠାନକୁ ପ୍ରଦାନ କରାଯାଇଥାଏ ।

ଏଭଳି ମାନ୍ୟତା ହାସଲ କରିବାରେ ଏହି ଟ୍ରେନିଂ ସେଂଟର ଦେଶରେ ପ୍ରଥମ ତାଲିମ କେନ୍ଦ୍ର । ରାଜ୍ୟ ନିଯୁକ୍ତି ମିଶନ ତଥା ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସହଯୋଗରେ ହିଞ୍ଜିଳି ଠାରେ ରାଜ୍ୟର ପ୍ରଥମ ଆପାରେଲ ଟ୍ରେନିଂ ସେଂଟର ପ୍ରତିଷ୍ଠା କରାଯାଇଛି ।

ଏହାବ୍ୟତୀତ ଫୁଲବାଣୀ, ଝାଙ୍କରପାଲି, ରାଇଘର, ବଲାଙ୍ଗୀର ଓ ମାଲକାନଗିରିରେ ଏଭଳି ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇ ପୋଷାକପତ୍ର ତିଆରି ବିଷୟରେ ପିଲାମାନଙ୍କୁ ତାଲିମ ଦିଆଯାଉଛି ।

ହିଞ୍ଜିଳି ତାଲିମ କେନ୍ଦ୍ରରୁ ବର୍ତମାନ ସୁଦ୍ଧା ୨୫୦୦ ପିଲା ତାଲିମ ନେଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୦୦ ଜଣ ଦେଶର ବିଭିନ୍ନ ପୋଷାକପତ୍ର ଶିଳ୍ପରେ ନିଯୁକ୍ତି ପାଇଛନ୍ତି ଏବଂ ଦୁଇ ଜଣ ଜୋର୍ଡ଼ାନରେ ମଧ୍ୟ ନିଯୁକ୍ତି ପାଇଛନ୍ତି ।

ଏହି ତାଲିମ କେନ୍ଦ୍ର ପ୍ରତିବର୍ଷ ୭୬୮ ଜଣ ପିଲାଙ୍କୁ ପୋଷାକପତ୍ର ତିଆରି ବିଷୟରେ ତାଲିମ ଦେଇଥାଏ । ପଂଚମ ପାସ୍ ଏବଂ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ଥିବା ବିପିଏଲ୍ ପରିବାର ପିଲା ମାନଙ୍କୁ ଶତପ୍ରତିଶତ ନିଯୁକ୍ତି ଭାବରେ ତାଲିମ ଦିଆଯାଇଥାଏ ।

ଏହି ଅବସରରେ ତାଲିମ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version