Site icon Odisha.com

ଗିରଫ ପରେ ଅଭୟ ଏବେ ଚୌଦ୍ଵାର ଜେଲରେ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଅପରାଧରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁଙ୍କୁ ଶନିବାର ଚୌଦ୍ଵାର ଜେଲକୁ ପଠାଇ ଦିଆଯାଇଛି ।

ଶୁକ୍ରବାର ସଂଧ୍ୟାରେ ଅଭୟ ଭୁବନେଶ୍ୱରରୁ ଗୋବିନ୍ଦପୁର ଫେରିବା ବାଟରେ ନୂଆପୋଖରୀ ଅଞ୍ଚଳର ମଣିଜଙ୍ଗା ଏର୍ସମା ରାସ୍ତାରେ କୁଜଙ୍ଗ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଅଭୟଙ୍କ ନାମରେ ପ୍ରାୟ ୫୦ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି । ଶୁକ୍ରବାର ରାତିରେ ତାଙ୍କୁ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ କୁଜଙ୍ଗ ସବ୍ ଜେଲକୁ ପଠାଇ ଦିଆଯାଇଥିଲା ।

ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଜଣେ ମହିଳାଙ୍କର ହତ୍ୟା ତଥା ହତ୍ୟା ପରେ ପୋଲିସକୁ ନଜଣାଇ ତାଙ୍କର ଶବସତ୍କାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏର୍ସମା ଥାନା ଅର୍ନ୍ତଗତ ତାଳପଡ଼ା ଗ୍ରାମର ୨୪ ବର୍ଷୀୟା ରଶ୍ମିତା ବର୍ଷେ ତଳେ କୁଜଙ୍ଗ ଥାନା ଅର୍ନ୍ତଗତ ଗୋବିନ୍ଦପୁର ଗ୍ରାମର ପୋସ୍କୋ ପ୍ରତିରୋଧ ସମିତିର ସଭ୍ୟ ମଳୟ ବର୍ଦ୍ଧନଙ୍କୁ ବିବାହ କରିଥିଲେ ।

ବାହାଘର ସମୟରେ ଶ୍ୱଶୁରଘର ଲୋକେ ୫୦ହଜାର ଟଙ୍କା ଯୌତୁକ ଦାବି କରିଥିଲେ ଏବଂ ଦାରିଦ୍ର୍ୟ
ଯୋଗୁଁ ତାଙ୍କ ବାପା ଯୌତୁକ ଦେବାକୁ ଅସମର୍ଥ ଥିଲେ ବୋଲି ରଶ୍ମିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ପରେ ତାଙ୍କୁ ବାପଘରୁ ଯୌତୁକ ଆଣିବା ପାଇଁ ବହୁ ନିର୍ଯ୍ୟାତନା ଦିଆଯାଉଥିଲା ଓ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିଲା ବୋଲି ସଂପୃକ୍ତ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ପରେ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ସପକ୍ଷବାଦୀମାନେ ତାଙ୍କ ବାପ ଘରକୁ ଜଣାଇଲେ । ବାପଘର ଲୋକେ ଗୋବିନ୍ଦପୁର ଗ୍ରାମରେ ପହଞ୍ଚି ଅଭୟ ସାହୁ ପୋଲିସକୁ ଖବର ନେଇ ରଶ୍ମିତାଙ୍କ ଶବ ସତ୍କାର କରିଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ଜାଣିବାକୁ ପାଇଥିଲେ ।

ତେଣୁ ମୃତା ରଶ୍ମିତାଙ୍କ ବାପା ଉଭୟ ସାହୁ ଓ ଶ୍ୱଶୁରଘର ଲୋକଙ୍କ ନିକଟରେ ଝିଅର ଶବ ତାଙ୍କୁ ହସ୍ତାନ୍ତର କରିଦେବା ପାଇଁ କହିଥିଲେ ।

କିନ୍ତୁ ଅଭୟ ଓ ଅନ୍ୟ ପୋସ୍କୋ ବିପକ୍ଷବାଦୀମାନେ ସେମାନଙ୍କୁ ଗ୍ରାମରେ ନ ପୁରାଇଦେବା ସହ ଯଦି ପୋଲିସକୁ ଖବର ଦିଆଯାଏ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି କହି ଧମକ ଦେବା ସହ ରଶ୍ମିତାଙ୍କ ଶବ ସତ୍କାର କରିଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଏହାପରେ ରଶ୍ମିତାଙ୍କ ବାପା ସୁରେନ୍ଦ୍ର ସ୍ୱାଇଁ ପୋଲିସରେ ଏ ବିଷୟରେ ଜଣାଇ ଉଭୟ ଶ୍ୱଶୁରଘର ଲୋକ ଓ ଅଭୟ ସାହୁଙ୍କ ନାମରେ ଏତଲା ଦେଇଥିଲେ ।

ସେହିପରି ଉକ୍ତ ଗ୍ରାମର ଜଣେ ଦଳିତ ରଞ୍ଜନ ମଲ୍ଲିକଙ୍କୁ ଗ୍ରାମର ପ୍ରବେଶ ଦ୍ଵାରା ନିକଟରେ ଜଗି ରହିବାକୁ ସାହୁ ଓ ଅନ୍ୟ ପୋସ୍କୋ ବିପକ୍ଷବାଦୀ ସଭ୍ୟମାନେ ନିର୍ଦ୍ଦେଶ ଦେଇଥିଲେ ଏବଂ ସେ ମନା କରିବାରୁ ତାଙ୍କୁ ଗେଟ୍ ନିକଟରେ ପ୍ରାୟ ଏକଘଣ୍ଟା କାଳ ଏକଗୋଡ଼ିକିଆ ଠିଆ କରାଇଦେଇଥିଲେ ବୋଲି ଯୁବକ ଜଣକ ଅଭିଯୋଗ କରିଛନ୍ତି ।

ରଞ୍ଜନ ଏ ବିଷୟରେ ଥାନାରେ ସାହୁଙ୍କ ନାମରେ ଏତଲା ଦେଇଥିଲେ । ସେହିପରି ଅନ୍ୟ ଜଣେ ଦଳିତ
ବଂଶୀଧର ବେହେରା ମଧ୍ୟ ସାହୁଙ୍କ ଦ୍ୱାରାମାଡ଼ ଖାଇବା ସହ ବହୁ ଅପମାନିତ ହୋଇଛନ୍ତି ବୋଲି ଥାନାରେ ଏତଲା ଦେଇଥିଲେ ।

ଅଭୟ ୬ ଜଣ ପୋଲିସ ଓ ପୋସ୍କୋ କର୍ମଚାରୀଙ୍କୁ ବନ୍ଧକ ରଖିବା ସହ ରାସ୍ତା ନିର୍ମାଣ ବେଳେ ଠିକା ସଂସ୍ଥାର କର୍ମଚାରୀଙ୍କ ଉପରକୁ ବୋମା ମାଡ଼ କରିଥିଲେ ବୋଲି ପୋଲିସ କହିଛି ।

“ଅଭୟଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିଲା ଏବଂ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଚୌଦ୍ଵାର ଜେଲକୁ ପଠାଇ ଦିଆଯାଇଛି” କୁଜଙ୍ଗ ଥାନା ଆଇଆଇସି ଗୁପ୍ତେଶ୍ୱର ଭୋଇ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version