Site icon Odisha.com

ପ୍ରୋତ୍ସାହନ ଅନୁଦାନ ପାଇବାକୁ ଓଡ଼ିଶା ଯୋଗ୍ୟ ବିବେଚିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଆଦିବାସୀ ଉପ-ଯୋଜନା ଅଂଚଳରେ ବିଭିନ୍ନ ଜୀବିକା ପ୍ରକଳ୍ପର କାର୍ଯ୍ୟକାରିତା କରାଯାଉଥିବାରୁ ଓଡ଼ିଶା ପ୍ରୋତ୍ସାହନ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ।

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଠାରୁ ଏବାବରେ ୨୨ କୋଟି ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଜାତି କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ କୁହାଯାଇଛି ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରାଆଦିବାସୀ ମାନଙ୍କର ରୋଜଗାର ବଢାଇବା ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଂଚଳ ମାନଙ୍କରେ ଅନେକ ଜୀବିକା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ପିନପରିବା ଚାଷ ଓ ଉପଯୁକ୍ତ ସଂରକ୍ଷଣ ଓ ବଜାର ବ୍ୟବସ୍ଥା ଦ୍ୱାରାଚାଷୀର ରୋଜଗାର ବଢାଇବା ପାଇଁ ଆଇଟିଡ଼ିଏ ଅଂଚଳରେ ୨୭ଟି ସ୍ଥାନରେ ସୁବିଧାସୁଯୋଗର ବିକାଶ ନିମନ୍ତେ ପକ୍ଷେପ ନିଆଯାଇଥିବା ବୈଠକରେ କୁହାଯାଇଛି ।

ସେହିପରି ରାଜ୍ୟର ୭ଟି ଜନଜାତି ବହୁଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା ପ୍ରକଳ୍ପ ଅଂଚଳର ୧୦୪୨ଟି ଗାଁରେ ୫୪୦ ଜଣ କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ଘରବାଡ଼ିରେ କୃଷି, ଉ୍ୟାନ କୃଷି ଏବଂ ଜଙ୍ଗଲ ଜାତ ସାମଗ୍ରୀର ମିଶ୍ରିତ ଚାଷ ପାଇଁ ଆଦିବାସୀ ଅଂଚଳରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

୬୫୦୦ ଏକର ଜମିରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୬୦୦ ଏକର ଜମିରେ ଏହି ମିଶ୍ରିତ ଚାଷ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version