Site icon Odisha.com

ପୋସ୍କୋ ବିରୋଧିଙ୍କୁ ଭେଟିବା ପାଇଁ ଭିଡ଼

ଓଡ଼ିଶା ଡ଼ଟ୍ କମ୍:ଅମରନାଥ ପରିଡ଼ା

ଜଗତସିଂହପୁର,ଡ଼ିସେମ୍ବର୨(ଓଡ଼ିଶା ଡ଼ଟ୍ କମ୍)କିଛିିଦିନ ତଳେ ପୋସ୍କୋ ବିରୋଧି ନେତା ଅଭୟ ସାହୁଙ୍କୁ ବିଭିନ୍ନ ମାମଲାରେ ଜଡ଼ିତ ଥିବା ଦର୍ଶାଇ ପୋଲିସ ଗିରଫ କରିବା ପରେ ତାଙ୍କ ସମର୍ଥକଙ୍କୁ ଭେଟିବା ପାଇଁ ଜଗତସିଂହପୁର ଜିଲ୍ଲାକୁ ସେଛ୍ୱାସେବୀ ଓ ମାନବାଧିକାର କର୍ମୀଙ୍କ ସୁଅ ଛୁଟିଛି ।

ସାହୁଙ୍କୁ ବିନା ଦୋଷରେ ତଥା ପୋସ୍କୋ ବିରୋଧି ଆନ୍ଦୋଳନକୁ ଚପାଇ ଦେବା ପାଇଁ ଗିରଫ କରାଯାଇଥିବା ତାଙ୍କ ସମର୍ଥକମାନଙ୍କ ଅଭିଯୋଗ ପରେ ଏହି କର୍ମୀ,ନେତା ଓ ବିଶେଷଜ୍ଞମାନେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ପହଂଚିଥିବା କୁହାଯାଉଛି ।

ପିଇଉସିଏଲ୍ ର ଜାତୀୟ ସାଧାରଣ ସଂପାଦିକା କବିତା ଶ୍ରୀବାସ୍ତବ ପୋସ୍କୋ ବିରୋଧୀଙ୍କ ଗଡ଼ ରୂପେ ପରିଚିତ ଢିଙ୍କିଆ ଓ ଗୋବିନ୍ଦପୁର ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ତାଙ୍କ ସହ ମାନବାଧୀକାର ସୁରକ୍ଷା ପାଇଁ ୧୯୭୬ ରୁ କାମ କରିଆସିଥିବା ଏହି ସଂଗଠନର ରାଜ୍ୟ ସଂପାକ ପ୍ରମୋଦିନୀ ପ୍ରଧାନ ମଧ୍ୟ ଥିଲେ ।

ସିପିଆଇ ର ବରିଷ୍ଠନେତା ଏ.ବି.ବର୍ଦ୍ଧନ,ଡ଼ି.ରାଜାଙ୍କ ସମେତ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ନେତା ରାମକୃଷ୍ଣ ପଣ୍ଡା ଓ ନାରାୟଣ ରେଡ୍ଡି ସେହି ଅଞ୍ଚଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ସେମାନେ ଗୋବିନ୍ଦପୁର ଓ ନୂଆଗାଁ ରେ ଧାରଣା ଦେଇଥିବା ମହିଳାମାନଙ୍କ ସହ କଥାବାର୍ତା ହେବା ସହ ସମବେଦନା ଜଣାଇଥିଲେ ।

ଠିକ୍ ସେହିପରି ମିଳିତ ଜାତିସଂଘର ମାନବାଧିକାର ସେଲ ର ସଭ୍ୟ ମିଲନ କୋଠାରୀଙ୍କ ସମେତ ଅନ୍ୟ ତିନି ଜଣ ଢିଙ୍କିଆ ପହଂଚିଥିଲେ । ଗ୍ରାମବାସୀ ତାଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ ଯେ,ପୋଲିସ ପ୍ରାୟ ୮୦୦ଜଣ ସ୍ଥାନୀୟ ବାସିନ୍ଦାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଛି । ତେଣୁ ସେମାନେ ଆତଙ୍କିତ ହୋଇ ଗିରଫ ଭୟରେ ଘରୁ ବାହାରୁ ନଥିବା ଦର୍ଶାଇଥିଲେ ।

ଗ୍ରାମବାସୀମାନେ କହିଥିଲେ ଯେ,ଉକ୍ତ ଅଂଚଳରେ ସରକାର ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କୁ ଦବାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି । ତାଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଉ ବୋଲି ସେମାନେ ଦର୍ଶାଇଥିଲେ ।

ପୋସ୍କୋ ବିରୋଧୀ ନେତା ଶିଶିର ମହାପାତ୍ର ଏହି ଅଂଚଳକୁ ଯାଇଥିବା ସ୍ୱେଛାସେବୀ ଓ ମାନବାଧୀକାର କର୍ମୀଙ୍କୁ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ସଂପର୍କରେ ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଅଭୟଙ୍କ ନାମରେ ପ୍ରାୟ ୫୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଦର୍ଶାଇ ପୋଲିସ ତାଙ୍କୁ ଗତ ସପ୍ତାହରେ ଗିରଫ କରିଛି । ସ୍ଥାନୀୟ କୋର୍ଟ ରେ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସାହୁ ଏବେ ଚୌଦ୍ୱାର ଜେଲରେ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version