Site icon Odisha.com

ସଡ଼କ ଦୁର୍ଘଟଣାରେ ମହିଳା ମୃତ,ଚାରି ଆହତ

ଓଡ଼ିଶା ଡ଼ଟ୍ କମ୍:ଅମରନାଥ ପରିଡ଼ା

ଜଗତସିଂହପୁର,ଡ଼ିସେମ୍ବର୨(ଓଡ଼ିଶା ଡ଼ଟ୍ କମ୍)କଟକ-ପାରାଦ୍ୱୀପ ଜାତୀୟ ରାଜପଥର ବଡ଼ପାଳ ଠାରେ ଏକ ମର୍ମତୁନ୍ତସଡ଼କ ଦୁର୍ଘଟଣାରେ ଶୁକ୍ରବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି ।

ଆଜି ସକାଳେ ବଡ଼ପାଳ ଗ୍ରାମର ଉଷାରାଣୀ ମହାପାତ୍ର(୪୨)ନିକଟସ୍ଥ ତାଳଣ୍ଡା କେନାକୁ
ଗୋଧୋଇବା ପାଇଁ ରାସ୍ତା ପାରି ହୋଇ ଯାଉଥିଲେ । ଏହସମୟରେ”ଜି.ସି.ସି.ଇ.ୱାଇ’.କଂପାନୀର
ଏକ ଦ୍ରୁତଗାମୀ ଟାଟାସୁମୋ ପାରାଦ୍ୱୀପରୁ ରାହାମା ଯାଉଥିଲା ।

ଟାଟା ସୁମୋଟି ଉଷାରାଣୀଙ୍କ ଉପରେ ଚଢିଯିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।
ଦୁର୍ଘଟଣା ପରେ ସୁମୋ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଦ୍ରୁତଗତିରେ ଗାଡ଼ି ବୁଲାଇବା ବେଳେ ଏଥିରେ ଥିବା କଂପାନୀର ଚାରି ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

ଆହତମାନଙ୍କୁ ତୁରନ୍ତ ମଣିଜଂଗ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ଶ୍ରୀ ରାମଚନ୍ଦ୍ର ଭଂଜ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣାପରେ ବଡ଼ପାଳ ଗ୍ରାମର ଉତ୍ୟକ୍ତ ଗ୍ରାମବାସୀମାନେ କ୍ଷତିପୂରଣ ଓ ଉକ୍ତ କଂପାନୀ
ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦେବା ପାଇଁ ଦାବି କରି ରାସ୍ତାରେ ଧାରଣା ଦେବା ସହ ପ୍ରାୟ
ପାଂଚ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଏ ବିଷୟରେ ଖବର ପାଇ କୁଜଂଗ ପୋଲିସ ଓ
ତହସିଲାର ବାସୁଦେବ ପ୍ରଧାନ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।

କଂପାନୀ କର୍ତୃପକ୍ଷ ଉଷାରାଣୀଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦେବା ସହ ଏକ ଲକ୍ଷ ଟଙ୍କା କ୍ଷତିପୂରଣ
ରାଶି ଦେବ ବୋଲି ପ୍ରତିଶୃତି ଦେଇଥିବା ପ୍ରଧାନ କହିବାରୁ ରାସ୍ତା ଅବରୋଧ ହଟିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version