Site icon Odisha.com

ପୋସ୍କୋ ବିରୋଧରେ ଛଅ ରାଜନୈତିକ ଦଳର ସମାବେଶ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପର ରାସ୍ତା କାମ ତଥା ସଂପୃକ୍ତ ଅଞ୍ଚଳରୁ ପ୍ରକଳ୍ପକୁ ହଟାଇନେବା ଦାବିରେ ଶନିବାର ଢିଙ୍କିଆ ଠାରେ ଛଅଟି ରାଜନୈତିକ ଦଳ ପକ୍ଷରୁ ସମାବେଶର ଆୟୋଜନ କରାଯାଇଛି ।

କଂଗ୍ରେସ, ସିପିଆଇ, ସିପିଏମ୍, ଫରୱାର୍ଡ଼ ବ୍ଲକ, ରାଷ୍ଟ୍ରୀୟ ଜନତା ଦଳ ଓ ସମାଜବାଦୀ ପାର୍ଟି ନେତାମାନେ ଏଥିରେ ସାମିଲ ହୋଇଥିବା ବେଳେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ସେମାନେ କହିଛନ୍ତି ।

ସଶସ୍ତ୍ର ପୋଲିସ ସହାୟତାରେ କରାଯାଉଥିବା ରାସ୍ତା କାମ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏହି ଦଳର ନେତାମାନେ କହିଛନ୍ତି ।

ରାସ୍ତା ନିର୍ମାଣରେ ଦେଖାଦେଉଥିବା ପ୍ରବନ୍ଧକକୁ ଦୂର କରିବା ପାଇଁ ଶୁକ୍ରବାର ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।

ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କ ଗିରଫ ପରେ ପୂର୍ବତନ ସିପିଆଇ ବିଧାୟକ ନାରାୟଣ ରେଡ୍ଡିଙ୍କ ନେତୃତ୍ୱରେ ଏହି ରାଜନୈତିକ ଦଳର ନେତାମାନେ ଏକତ୍ରିତ ହୋଇଛନ୍ତି ।

ପ୍ରସ୍ତାବିତ ଅଞ୍ଚଳ ଢିଙ୍କିଆରୁ ଏହି ଦଳର ନେତାମାନେ ର୍ୟାଲିରେ ବାହାରି ସରକାର ପୋଲିସ ସହାୟତାରେ ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ ତଥା ଜମି ଅଧିଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି କହିବା ସହ ଏହାକୁ ସମାଲୋଚନା କରିଥିଲେ ।

“ଏହି ଅଂଚଳରେ ଆନ୍ଦୋଳନ ପାଇଁ ମୁଁ ସବୁପ୍ରକାର ଦାୟିତ୍ୱ ନେଇଛି, ତେଣୁ ଅଭୟଙ୍କ ଅନୁପସ୍ଥିତିରେ ଏଠାରେ କ୍ୟାମ୍ପ କରି ଆନ୍ଦୋଳନରତ ଗ୍ରାମବାସୀଙ୍କୁ ଉତ୍ସାହିତ କରିବି” ସିପିଆଇ ନେତା ନାରାୟଣ ରେଡ୍ଡି କହିଛନ୍ତି ।

ସଂପୃକ୍ତ ଅଂଚଳରେ ପୋଲିସ ମୁତୟନ ତଥା ଫ୍ଲାଗମାର୍ଚ୍ଚ ମାନବାଧିକାର ଉଲଂଘନ କରିଛି ବୋଲି ସେ କହିଛନ୍ତି ।

ପ୍ରସ୍ତାବିତ ଅଞ୍ଚଳକୁ ପୋଲିସ, ସରକାରୀ ଅଧିକାରୀ, ଠିକାଦାର ଓ କମ୍ପାନୀ କର୍ମଚାରୀଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ପୋସ୍କୋ ବିରୋଧୀ ନେତା ଶିଶିର ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version