Site icon Odisha.com

ଓଡ଼ିଶା ଚିକିତ୍ସା ପାଣ୍ଠି କାର୍ଯ୍ୟକାରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୁରୁବାର ଓଡ଼ିଶା ଚିକିତ୍ସା ପାଣ୍ଠି କାର୍ଯ୍ୟକାରୀ ହୋଇଛି ।

ଏହି ପାଣ୍ଠି ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପଂଜୀକୃତ ସୋସାଇଟି ମଧ୍ୟ ଗଠନ କରାଯାଇଛି ।

ପାଣ୍ଠିରୁ ବିପିଏଲ୍ ପରିବାରଙ୍କୁ କ୍ୟାନସର, କିଡ଼୍ନୀ, ହୃରୋଗ, ମୂତ୍ରରୋଗ ଆଦି ବିଭିନ୍ନ ରୋଗର ଚିକିତ୍ସା ସମେତ ଏଥିପାଇଁ ଆବଶ୍ୟକ ପରୀକ୍ଷା ନିମନ୍ତେ ସହାୟତା ପ୍ରଦାନ କରାଯିବ ।

ଏହାବ୍ୟତୀତ ଗ୍ରାମାଂଚଳରେ ୪୦ ହଜାର ଟଙ୍କା ଏବଂ ସହରାଂଚଳରେ ୬୦ ହଜାର ଟଙ୍କା ଆୟ ସୀମା ମଧ୍ୟରେ ରହିଥିବା ଲୋକମାନେ, ଦୁର୍ଘଟଣାର ଶିକାର ଅଜଣା ବ୍ୟକ୍ତି, ଅନାଥାଶ୍ରମ, ମାନସିକ ରୋଗୀ ଏହି ପାଣ୍ଠିରୁ ଚିକିତ୍ସା ସହାୟତା ପାଇପାରିବେ ।

ନୂତନ ନିୟମାନୁଯାୟୀ ରାଜ୍ୟର ତିନୋଟି ମେଡ଼ିକାଲ କଲେଜରେ ଏଥିପାଇଁ ଏକ କୋଟି ଟଙ୍କା ଲେଖାଏଁ କର୍ପସ ପାଣ୍ଠି ଗଠନ କରାଯିବ ।

ସେହିପରି ଶିଶୁଭବନ, କ୍ୟାପିଟାଲ ହସ୍ପିଟାଲ, ଆଇଜିଏଚ୍ରେ ୫୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ଦଶ ଲକ୍ଷ ଟଙ୍କାର ପାଣ୍ଠି ଗଠନ କରାଯିବ ।

ଏହି ପାଣ୍ଠିରୁ ରୋଗୀ ମାନଙ୍କୁ ତୁରନ୍ତ ଚିକିତ୍ସା ଖର୍ଚ୍ଚର ୫୦ ପ୍ରତିଶତ ଅଗ୍ରୀମ ମଂଜୁର କରାଯିବ । ମେଡ଼ିକାଲ କଲେଜ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ଯାଂଚ କମିଟି ଗଠନ କରାଯିବ ଏବଂ ସେମାନେ ଯଥାକ୍ରମେ ଏକ ଲକ୍ଷ ଏବଂ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଂଜୁର କରିପାରିବେ ।

ସେହିପରି ଆର୍ଡ଼ିସି ଏକ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା, ଜିଲ୍ଲାପାଳ ୩୦ରୁ ୫୦ ହଜାର ଟଙ୍କା ଏବଂ ରାଜ୍ୟସ୍ତରୀୟ କମିଟିଦୁଇରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଂଜୁର କରିପାରିବେ । ଅତ୍ୟନ୍ତ ଜରୁରୀ କ୍ଷେତ୍ରରେ ତିନି ଲକ୍ଷରୁ ଅଧିକ ଟଙ୍କା ଦରକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ମଂଜୁର ଆବଶ୍ୟକ ।

ନିୟମାବଳୀ ଅନୁଯାୟୀ ଚଳିତ ମାସ ୧୫ ତାରିଖରୁ ଆବେଦନପତ୍ର ଗ୍ରହଣ କରାଯିବ । ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଥିବା ଆବେଦନପତ୍ର ଗୁଡ଼ିକର ଚଳିତ ମାସ ୩୧ ସୁଦ୍ଧା ବିଚାର କରାଯାଇ ସହାୟତା ମଂଜୁର କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version