Site icon Odisha.com

ପୋସ୍କୋ ଅଞ୍ଚଳରେ ଅଟକ ଗାଡ଼ି ଉଦ୍ଧାର ପାଇଁ ଉଦ୍ୟମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ କାମ ପାଇଁ ପ୍ରକଳ୍ପ ଅଞ୍ଚଳକୁ ଆସି ଲୋକଙ୍କ ଦ୍ୱାରାଅଟକ ଥିବା ଗାଡ଼ି ଗୁଡ଼ିକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

କମ୍ପାନୀ ଉପ ପରିଚାଳନା ନିର୍ଦ୍ଦେଶକ ହୋ ଚାନ୍ ରୁଏ, ଉପସଭାପତି ବିକାଶ ସରଣ ଏବଂ ପୋସ୍କୋ ଇଣ୍ଡିଆ ନିର୍ଦ୍ଦେଶକ ୱାଇ.କେ.କିମ୍ ଗୁରୁବାର ନୂଆଗାଁ ଓ ଗଡ଼କୁଜଙ୍ଗ ଅଞ୍ଚଳ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରକଳ୍ପ ପାଇଁ ସହଯୋଗ କରିବାକୁ ସେମାନେ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି ।

ଅଧିକାରୀଙ୍କ ସହ ଆଲୋଚନା ପରେ ଅଟକ ଛଅଟି ଗାଡ଼ିକୁ ଛାଡ଼ି ଦେବା ପାଇଁ କୁଞ୍ଜ ବିହାରୀ ଗ୍ରାମ୍ୟ ସୁରକ୍ଷା କମିଟି ରାଜି ହୋଇଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାଡ଼ି ନଛାଡ଼ିବାକୁ ଗଡ଼କୁଜଙ୍ଗ ଗ୍ରାମବାସୀମାନେ ଅଡ଼ି ବସିଛନ୍ତି ।

ତେବେ ଗାଡ଼ି ଗୁଡ଼ିକୁ ଉତ୍ୟକ୍ତ ଗ୍ରାମବାସୀଙ୍କ ଠାରୁ ଛଡ଼ାଇବା ପାଇଁ ଅଧିକାରୀମାନେ ପୋଲିସର ସହାୟତା ଲୋଡ଼ିଛନ୍ତି ।

ଅଟକ ଗାଡ଼ି ଗୁଡ଼ିକୁ ଛାଡ଼ି ଦେବା ପାଇଁ ବୁଧବାର ପୋସ୍କୋ ଇଂଜିନିୟରିଂ ଓ ନିର୍ମାଣ କମ୍ପାନୀ ଅଧିକାରୀ ମନୋଜ ବଜାଜ୍ ଏବଂ ମହାପ୍ରବନ୍ଧକ ରାଜା ମିତ୍ର ମଧ୍ୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

ସମସ୍ତ ପ୍ରକାର ସୁବିଧା ଅସୁବିଧାର ସମାଧାନ ପାଇଁ କମ୍ପାନୀ କର୍ତୃପକ୍ଷ ଗ୍ରାମାବସୀଙ୍କ ସହ ସିଧାସଳଖ କଥାବାର୍ତା ପାଇଁ ଯୋଜନା କରୁଥିବା ମିତ୍ର କହିଛନ୍ତି ।

କେଉଁ ଉଦ୍ଦେଶ୍ୟରେ କମ୍ପାନୀର ଗାଡ଼ି ଗୁଡ଼ିକ ରାତିରେ ଗ୍ରାମବାସୀଙ୍କ ଅଜାଣତରେ ଏହି ଅଞ୍ଚଳକୁ ପ୍ରବେଶ କରିଥିଲା ବୋଲି କମିଟିର ନେତା ଅମ୍ରିତ ଦାସ, ଚରଣ ପରିଡ଼ା କହିଛନ୍ତି ।

ଶେଷରେ ସମସ୍ୟା ନେଇ କମ୍ପାନୀ ଅଧିକାରୀ ଗ୍ରାମାବସୀଙ୍କ ସହ ସିଧାସଳଖ କଥାବାର୍ତା ହେବା ପାଇଁ ଯୋଜନା କରିଥିବାରୁ କମିଟି ସଦସ୍ୟମାନେ ଏହାକୁ ପ୍ରଶଂସା କରିଛନ୍ତି ।

କମ୍ପାନୀ କର୍ତୃପକ୍ଷ ନିଜର ଭୁଲ ସ୍ୱୀକାର କରିବା ସହ କ୍ଷତିପୂରଣ ବାବରେ ୫୩ ହଜାର ୨୦୦ ଟଙ୍କା
ଦେଇଛନ୍ତି ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି କାମ କିମ୍ବା ଅଫିସ ଖୋଲିବ ନାହିଁ, ତେଣୁ ଗାଡ଼ି ଗୁଡ଼ିକୁ ଛାଡ଼ି ବୋକୁ ଆମେ ରାଜି ହୋଇଛୁ ବୋଲି ଦାସ କହିଛନ୍ତି ।

ତେବେ କମିଟିର ନିଷ୍ପତି ଉପରେ ଗ୍ରାମବାସୀ ଖୁସି ନାହାନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯିବ ନାହିଁ । କମିଟିର ନିଷ୍ପତି ତା’ର ନିଜସ୍ୱ ବୋଲି ଗ୍ରାମାବସୀମାନେ କହିଛନ୍ତି ।

ଗାଡ଼ି ଅଟକ ନେଇ ପୋସ୍କୋ ଇଂଜିନିୟରିଂ ଏବଂ ନିର୍ମାଣ କମ୍ପାନୀ ଅତିରିକ୍ତ ମହାପ୍ରବନ୍ଧକ କୁଜଙ୍ଗ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମାମଲା ରୁଜୁ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version