Site icon Odisha.com

ମତ୍ସ୍ୟଜୀବୀଙ୍କ ପାଇଁ ପ୍ୟାକେଜ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୮(ଓଡ଼ିଶା ଡ଼ଟ୍ କମ୍) ଅଲିଭ ରିଡ଼ଲେ କଇଁଛଙ୍କ ଚଳାଚଳ ଯୋଗୁଁ ସାମୁଦ୍ରିକ ମତ୍ସ୍ୟ ଉପରେ ନିର୍ଭରଶୀଳ ଧୀବରମାନେ କ୍ଷତିଗ୍ରସ୍ତ ହେଉଥିବାରୁ ସରକାର ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ।

ନଭେମ୍ବର ୧ରୁ ମଇ ୩୧ ପର୍ଯ୍ୟନ୍ତ ସେମାନେ ମାଛ ଧରିପାରୁ ନାହାନ୍ତି ଓ ଏହା ସେମାନଙ୍କର ଆର୍ଥିକ ଅବସ୍ଥା ଉପରେ ବିଶେଷ ପ୍ରଭାବ ପକାଉଛି ।

ତେଣୁ ଏହି ସାତମାସ ସାମୁଦ୍ରିକ ମତ୍ସ୍ୟ ଉପରେ ନିର୍ଭରଶୀଳ ଧୀବର ମାନଙ୍କ ପାଇଁ ସ୍ୱତନ୍ତ୍ର ସାଧାରଣ ବଂଟନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଗୁରୁବାର ଏକ ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ଯୋଜନାରେ କ୍ଷତିଗ୍ରସ୍ତ ସମସ୍ତ ଧୀବର ମାନଙ୍କୁ ସାତମାସ ପାଇଁ କିଲୋ ଦୁଇ ଟଙ୍କାରେ ପଚିଶ କିଲୋ ଚାଉଳ ଯୋଗାଇ ଦିଆଯିବ । ଏହା୍ୱାର ପ୍ରାୟ ଦଶ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ ।

ଏହାବ୍ୟତୀତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ କାଠ ଡ଼ଙ୍ଗା ପରିବର୍ତେ ଏଫ୍ଆର୍ଏ ଡ଼ଙ୍ଗା ଯୋଗାଇ ଦିଆଯିବ । ଦେଶ ଡ଼ଙ୍ଗାରେ ମୋଟର ଲଗାଇବା ପାଇଁ ପଚାଶ ପ୍ରତିଶତ ରିହାତି ଦିଆଯିବ । ଉଭୟ ସାମୁଦ୍ରିକ ଓ ଅନ୍ୟ ମତ୍ସ୍ୟଜୀବୀଙ୍କ ପାଇଁ ଡ଼ଙ୍ଗା ଓ ଜାଲ କିଣିବା ନିମନ୍ତେ ୧୨ ହଜାର ଟଙ୍କା ରିହାତି ଦିଆଯିବ ।

ସେହିପରି ବସୁନ୍ଧରା ଯୋଜନାରେ ସାମୁଦ୍ରିକ ଓ ଅନ୍ୟ ମତ୍ସ୍ୟଜୀବୀଙ୍କୁ ୪ ଡ଼ିସିମିଲ ଜମି, ବିପିଏଲି ମତ୍ସ୍ୟଜୀବୀ ପରିବାରକୁ ମୋ କୁଡ଼ିଆ ଯୋଜନାରେ ଘର ଓ ଚକ୍ଷୁ ଚିକିତ୍ସା ପାଇଁ ପାଂଚ ହଜାର ଟଙ୍କା ଦିଆଯିବ ।

ଓଡ଼ିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନାରେ ନାମିତ ଏହି କାର୍ଯ୍ୟକ୍ରମରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version