Site icon Odisha.com

ପୋସ୍କୋ ବିରୋଧୀଙ୍କ ମହାସମାବେଶ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରେ ଶୁକ୍ରବାର ବିରୋଧୀମାନେ ମହାସମାବେଶର ଆୟୋଜନ କରିଥିବା ବେଳେ ଅଭୟ ସାହୁଙ୍କୁ ନିଃସର୍ତ ଜାମିନ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।

ଢିଙ୍କିଆ ନିକଟସ୍ଥ ବୋଷ କାଲିସ୍ ଠାରେ ଆୟୋଜିତ ସମାବେଶରେ କଂଗ୍ରେସ, ସିପିଆଇ, ସିପିଏମ୍, ଫରୱାର୍ଡ଼ବ୍ଲକ, ରାଷ୍ଟ୍ରୀୟଜନତା ଦଳ ଏବଂ ସମାଜବାୀ ପାର୍ଟି ନେତାମାନେ ଯୋଗ ଦେଇଥିଲେ ।

ପୋଲିସ ବଳ ପ୍ରୟୋଗ କରି ସରକାର ପ୍ରକଳ୍ପ ପାଇଁ ରାସ୍ତା କାମ ଏବଂ ଜମି ଅଧିଗ୍ରହଣ କରୁଥିବାରୁ
ସେମାନେ ଏହାକୁ ବିରୋଧ କରିଛନ୍ତି ।

ପୋସ୍କୋ ଆନ୍ଦୋଳନକୁ ଜାରି ରଖିବା ପାଇଁ ସେମାନେ ଗ୍ରାମବାସୀଙ୍କୁ ସମର୍ଥନ ଦେବାକୁ କହିଥିବା ବେଳେ କାମ ପାଇଁ ପୋଲିସ ବଳ ପ୍ରୟୋଗ କରାଗଲେ ପରିସ୍ଥିତି ଭୟାନକ ହେବ ବୋଲି ଧମକ ଦେଇଛନ୍ତି ।

ଅଭୟଙ୍କ ବିରୁଦ୍ଧରେ ଶତାଧିକ ମିଥ୍ୟା ମାମଲାର ଦାଏର କରାଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସେ
୪୦ରୁ ଉର୍ଦ୍ଧ୍ଵ ମାମଲାରେ ଜାମିନ ପାଇସାରିଛନ୍ତି ବୋଲି ରାଜନୈତିକ ଦଳର ନେତାମାନେ କହିଛନ୍ତି ।

ତେବେ ପୋସ୍କୋ ପ୍ରକଳ୍ପକୁ ବେଆଇନ ମଞ୍ଜୁର ନେଇ ଗ୍ରିନ ଟ୍ରିବ୍ୟୁନାଲ ଏବଂ ହାଇକୋର୍ଟରେ ମାମଲା ବିଚାରଧିନ ରହିଥିବା ସେମାନେ କହିଛନ୍ତି ।

“ମିଥ୍ୟା ମାମଲାରେ ସାହୁଙ୍କୁ ଗିରଫ କରାଯାଇଥିବାରୁ ଏହାକୁ ଆମେ ନିନ୍ଦା କରୁଛୁ ଏବଂ ତାଙ୍କ ବିରୁଦ୍ଧରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ” ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ କହିଛନ୍ତି ।

ଅଭୟଙ୍କୁ ନିଃସର୍ତରେ ଜାମିନରେ ଆଣିବା ପାଇଁ ରାସ୍ତା ବାହାର କରିବାକୁ ଗାଁସ୍ତରରେ ଏକ କୋର କମିଟି ଗଠନ କରାଯାଇଛି ।

ପ୍ରକଳ୍ପ କାର୍ଯ୍ୟ ପାଇଁ ଠିକା ସଂସ୍ଥା, କମ୍ପାନୀ ଅଧିକାରୀ ତଥା ସରକାରୀ ଅଧିକାରୀ ସଂପୃକ୍ତ ଅଞ୍ଚଳକୁ ଆସିଲେ ସେମାନଙ୍କୁ ବିରୋଧ କରାଯିବ ବୋଲି ବିରୋଧୀ ନେତା ଶିଶିର ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version