Site icon Odisha.com

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଚତୁର୍ଦ୍ଧଶ ବିଧାନସଭାର ଅଷ୍ଟମ ତଥା ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।

ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କରିଛନ୍ତି ଏବଂ ପରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ ସ୍ଥାନ ପାଇଥିବା ବେଳେ ୯ଟି ବିଧେୟକ ଆସିବ ବୋଲି ସ୍ଥିର ହୋଇଛି ।

ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମୋଟ୍ ୨୧ଟି କାର୍ଯ୍ୟିବସ ମଧ୍ୟରୁ ୪ଟି ବେସରକାରୀ ଦିବସ ରହିଛି ।

୧୨ ତାରିଖରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଚଳିତ ୨୦୧୧-୧୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ସେହି ବଜେଟ୍ ଆଧାରରେ ତିନୋଟି ବିଭାଗର ଖର୍ଚ୍ଚଦାବି ସଂକ୍ରାନ୍ତ ଆଲୋଚନା ପାଇଁ ସ୍ଥିର ହୋଇଛି ।

ଏହାବ୍ୟତୀତ ୨୨ ତାରିଖରେ ବିନିଯୋଗ ବିଲ୍ ଆଗତ ହେବ । ଏହି ସମୟ ମଧ୍ୟରେ ଆଗତ ହେବାକୁ
ଥିବା ଅନ୍ୟ ବିଲ୍ ଗୁଡ଼ିକ ହେଲା ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ ତଥା ପରିଚାଳନା ବିଲ୍ ୨୦୧୧, ଓଡ଼ିଶା ପ୍ରବେଶକର ସଂଶୋଧନ ବିଲ୍ ୨୦୧୧, ଓଡ଼ିଶା ଜମାକାରୀଙ୍କ ସୁଧ ସୁରକ୍ଷା ବିଲ୍ ୨୦୧୧ ।

ସେହିପରି ଓଡ଼ିଶା ଆର୍ଥିକ ପରିଚାଳନା ତଥା ବଜେଟ୍ ପରିଚାଳନା ବିଲ୍, ଅନୁସୂଚିତ ଜାତି ଜନଜାତି ଏବଂ ପଛୁଆବର୍ଗ ଜାତିଗତ ପ୍ରମାଣପତ୍ର ବିଲ୍, ମୁସ୍ଲିମ୍ ବିବାହ ଏବଂ ଛାଡ଼ପତ୍ର ପଞ୍ଜିକରଣ ବିଲ୍, ଓଡ଼ିଶା ମେରିଟାଇମ୍ ବୋର୍ଡ଼ ବିଲ୍ ଏବଂ ଓଡ଼ିଶା ଲୋକପାଳ ଏବଂ ଲୋକାୟୁକ୍ତ ସଂଶୋଧନ ବିଲ୍ ଆଗତ ହେବ ।

ଏହି ଅଧିବେଶନ ପାଇଁ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version