ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦୁଝର, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ଖଣି ମାଲିକମାନେ ସଂପୃକ୍ତ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କେନ୍ଦୁଝରରେ ରବିବାର ଶାହା କମିଶନ ମୁଖ୍ୟ ଏମ୍ବି ଶାହା କହିଛନ୍ତି ।
ଗତ ଦୁଇଦିନ ଧରି କମିଶନଙ୍କ ଆଠ ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଅଂଚଳ ପରିଦର୍ଶନ କରି ଖଣି ଦୁର୍ନୀତିର ତଦନ୍ତ କରିବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜନଶୁଣାଣି କରିଛନ୍ତି ।
ଖଣି ମାଲିକମାନେ ବିପୁଳ ପରିମାଣର ଲାଭ ପାଉଥିବା ବେଳେ ସଂପୃକ୍ତ ଅଂଚଳ ତଥା ରାଜ୍ୟର ବିକାଶ
ପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଛନ୍ତି । ଅଂଚଳରେ ପ୍ରଦୂଷଣ ନେଇ କମିଶନ ଉଦେଗ ପ୍ରକାଶ କରିଛନ୍ତି ।
ଆଇନ ଅନୁଯାୟୀ ଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଥିବା ଖଣି ଗୁଡିକୁ ଚାଲୁ କରାଯିବ ଏବଂ ଖଣି ମାଲିକ ମାନଙ୍କୁ ସ୍ଥାନୀୟ ଅଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଦାନ କରିବା ପାଇଁ କହିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି କମିଶନ ସାମ୍ବାଦିକଙ୍କୁ କହିଛନ୍ତି ।
ଜିଲ୍ଳା ପାଇଁ ଖଣି କର୍ତୃପକ୍ଷ ଏକ ନିର୍ଦ୍ଦିଷ୍ଟ ଅଂଶଧନ ପ୍ରଦାନ କରିବେ ଓ ସେଥିରେ ଜିଲ୍ଳାର ଉନ୍ନୟନ କାର୍ଯ୍ୟ ହୋଇପାରିବ ବୋଲି ସେ କହିଛନ୍ତି । ସମସ୍ତ ତଥ୍ୟ ଭାରତୀୟ ଖଣି ବ୍ୟୁରୋକୁ ଜଣାଇ ଦିଆଯିବ ବୋଲି କମିଶନ କହିଛନ୍ତି ।
ଏହାପରେ ସାଧାରଣ ଲୋକେ ନିଜର ଅଭିଯୋଗ ଜିଲ୍ଳାପାଳଙ୍କୁ ଦେଇପାରିବେ ଓ ଜିଲ୍ଳାପାଳ ସେଗୁଡିକୁ ୱେବସାଇଟରେ ପ୍ରଦର୍ଶନ କରିପାରିବେ ବୋଲି ସେ କହିଛନ୍ତି । ସମସ୍ତ ଖଣି ଓ ଖଣି ମାଲିକଙ୍କ ନାଁ ଠିକଣା ମଧ୍ୟ ୱେବସାଇଟ୍ରେ ସ୍ଥାନିତ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ବର୍ଗର ଲୋକଙ୍କ ସହିତ କମିଶନ ଆଲୋଚନା କରିଥିବା ବେଳେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଜିଲ୍ଲାର ବହୁ ବୁଦ୍ଧୀଜୀବୀ, ମାନବାଧିକାର କର୍ମୀ ଏବଂ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍