Site icon Odisha.com

ଅର୍ଥାଭାବରେ କ୍ୟାନସର ପୀଡ଼ିତ ୧୩ ବର୍ଷର ବାଳକ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଅର୍ଥ ଅଭାବରୁ ଚିକିତ୍ସା କରାଇନପାରି କେନ୍ଦ୍ରାପଡ଼ା ଜିଲ୍ଲାର କ୍ୟାନସର ରୋଗରେ ପୀଡ଼ିତ ଜଣେ ବାଳକ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଏହି ରୋଗରେ ଆକ୍ରାନ୍ତ ମହାକାଲପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଗ୍ରାମର ୧୩ ବର୍ଷ ବୟସ୍କ ତନ୍ମୟ
ମଣ୍ଡଳଙ୍କ ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କ ପିତାମାତା ଜମି, ଗାଈଗୋରୁ ସହ ଘରର ଆସବାବପତ୍ର ମଧ୍ୟ ବିକ୍ରି କରିଦେଇଛନ୍ତି ।

ଗତ ଆଠ ମାସ ତଳେ ତନ୍ମୟଙ୍କୁ ଥଣ୍ଡା ହୋଇଥିଲା ଏବଂ ତାଙ୍କ ପରିବାର ଲୋକେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ତାଙ୍କ ଦେହରୁ ଥଣ୍ଡା ଛାଡ଼ିନଥିଲା ଓ ସୁସ୍ଥ ସବଳ ତନ୍ମୟ ଧିରେଧିରେ ଦୁର୍ବଳ ହୋଇପଡ଼ିଥିଲେ ।

ପିଠାପତା ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ତନ୍ମୟ ଯିଏ ଦିନେ ସ୍କୁଲରେ କବିତା ପାଠରେ ପ୍ରଥମ ହେଉଥିଲେ ସେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ଶୋଇବା ଖଟରୁ ଉଠିପାରିଲେ ନାହିଁ ।

ସ୍ଥାନୀୟ ଡ଼ାକ୍ତର କିଛି ଜଟିଳ ସମସ୍ୟା ଦେଇ ଶିଶୁଟି ଗତିକରୁଥିବା ଜାଣିପାରିଥିଲେ ମଧ୍ୟ ସଠିକ୍ ଭାବରେ ଏହି ରୋଗ ସଂପର୍କରେ ପରିବାର ଲୋକଙ୍କୁ କହିପାରିନଥିଲେ ।

ତେବେ କେନ୍ଦ୍ରାପଡା ସରକାରୀ ଡ଼ାକ୍ତରଖାନାର ଡ଼ାକ୍ତରମାନେ ତାଙ୍କୁ କ୍ୟାନସର ହୋଇଥିବା ସନ୍ଦେହ
କରି କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଚିକିତ୍ସା କରାଇବାକୁ କହିଥିଲେ ।

ସେଠରେ ପରୀକ୍ଷା ପରେ ଥଣ୍ଡା ଯୋଗୁଁ ତନ୍ମୟଙ୍କୁ ରକ୍ତ କର୍କଟ ହୋଇଥିବା ପିତାମାତା ଜାଣିବାକୁ
ପାଇଥିଲେ । ତେବେ ନିୟମିତ ଭାବେ ପରୀକ୍ଷା ତଥା ଚିକିତ୍ସା ନକଲେ ସେ ଠିକ୍ ହେବା ନେଇ ଆଶଂକା ପ୍ରକାଶ ପାଇଛି । ବର୍ତମାନ ଚିକିତ୍ସା ପାଇଁ ପିତାମାତାଙ୍କ ପାଖରେ ଟଙ୍କା ନାହିଁ ।

ଗାଁରୁ କଟକ ଡ଼ାକ୍ତରଖାନାକୁ ଆସିବା ପାଇଁ ସେମାନଙ୍କୁ ଟଙ୍କା ପାଇଁ ବହୁତ କଷ୍ଟ କରିବାକୁ ପଡ଼ୁଛି । “”ଗାଁରେ ଆମର ଯାହା କିଛି ଥିଲା ସେଗୁଡ଼ିକ ବିକ୍ରି କରି ତାର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଛୁ” ମାସକୁ ତିନି ହଜାର ଟଙ୍କା ରୋଜଗାର କରୁଥିବା ତନ୍ମୟଙ୍କ ବାପା ସଂଗ୍ରାମ ମଣ୍ଡଳ କହିଛନ୍ତି ।

“”ମୋ ସ୍ୱାମୀ ଆମର ଗାଈଗୋରୁ, କୁକୁଡ଼ା, ଜମି ଏବଂ ଆସବାବପତ୍ର ମଧ୍ୟ ବିକ୍ରି କରି ଦେଇଛନ୍ତି । ତଥାପି ମଧ୍ୟ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ହୋଇପାରି ନାହିଁ”ମା’ ଅଞ୍ଜଳୀ କହିଛନ୍ତି ।

ତା’ର ଚିକିତ୍ସା ପାଇଁ ପ୍ରାୟ ତିନି ଲକ୍ଷ ଟଙ୍କା ଏବଂ ଔଷଧ ଦରକାର ଯାହା ଆମ ପକ୍ଷେ ସମ୍ଭବ ନୁହେଁ
ବୋଲି ସଂଗ୍ରାମ କହିଛନ୍ତି ।

ସରକାର କିମ୍ବା କୌଣସି ସହୋୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ତାଙ୍କ ମୋବାଇଲ ନମ୍ବର
୮୦୯୩୭୪୬୪୭୨ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version