ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା
ଜଗତସିଂହପୁର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ହେବାକୁ ଥିବା ନୋଳିଆସାହି ପର୍ଯ୍ୟନ୍ତ ଉପକୂଳ ରାସ୍ତା କାମ ମଙ୍ଗଳବାର ପୁଣି ଆରମ୍ଭ ହୋଇଛି ।
ପାରାଦୀପ ପରିବହନ ସଂସ୍ଥା ପକ୍ଷରୁ ୪ଟି ମେସିନ୍ ଦ୍ୱାରାବାଲି ସମତୁଲ କାର୍ଯ୍ୟ ଚାଲିଥିବା ବେଳେ
ସେଠାରେ ଇଡ୍କୋ ଅଧିକାରୀ ଓ ପୋସ୍କୋ କର୍ମଚାରୀ ଉପସ୍ଥିତ ରହି ତଦାରଖ କରିଛନ୍ତି ।
ଅନ୍ୟପକ୍ଷରେ ବିରୋଧୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିବା ବେଳେ ସପକ୍ଷବାଦୀମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ସହଯୋଗର ହାତ ବଢାଇଛନ୍ତି ।
ଉପକୂଳ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ କିଛିଦିନ ପୂର୍ବରୁ ଶୁଭ ଦିଆଯାଇଥିବା ବେଳେ ବିରୋଧୀଙ୍କ ବିରୋଧ ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ।
ତେବେ ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କ ଗିରଫ ପରେ ବିରୋଧୀମାନେ ବିଭିନ୍ନ ସଭା,
ସମାବେଶ ଓ ଧାରଣା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିଆସୁଛନ୍ତି ।
ବର୍ତମାନ ଆମେ ଗୋବିନ୍ଦପୁର ଅଂଚଳରେ ଜମି ଅଧିଗ୍ରହଣ ଓ ପାନବରଜ ଭଙ୍ଗାକୁ ବିରୋଧ କରି
ଆନ୍ଦୋଳନ ଜାରି ରଖିଛୁ । ସେଥିପାଇଁ ରାସ୍ତା କାମ ପ୍ରତି ଦୃଷ୍ଟି ଦେଉନାହୁଁ । ସେମାନେ ରାସ୍ତା କାମ କରନ୍ତୁ, ପରେ ବିରୋଧ କରି ଏହାକୁ ଭାଙ୍ଗି ଦେବୁ ବୋଲି ପ୍ରତିରୋଧ ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।
ରାସ୍ତା କାମରେ ସହଯୋଗ କରିବା ପାଇଁ ଲୋକଙ୍କୁ ବୁଝାଇିଆଯାଇଛି ଓ ସେମାନେ ଏଥିରେ
ସହଯୋଗ କରୁଛନ୍ତି ବୋଲି ଗଡ଼କୁଜଙ୍ଗ ସରପଂଚ ନକୁଳ ସାହୁ କହିଛନ୍ତି ।
ଲୋକମାନଙ୍କ ସହ ଆଲୋଚନା କରିଛୁ ଏବଂ ସେମାନେ ସମସ୍ତ ବିଷୟ ବୁଝିବା ପରେ ପୋସ୍କୋ
ଅଂଚଳରେ କାମ ଆରମ୍ଭ ହେବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ସୁରଜିତ୍ ଦାସ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍