Site icon Odisha.com

ପୋସ୍କୋ ଅଞ୍ଚଳରେ ସଂଘର୍ଷ, ୧ମୃତ, ୨୫ ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ଅଞ୍ଚଳରେ ଚାଲିଥିବା ରାସ୍ତା କାମକୁ ନେଇ ବୁଧବାର ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।

ରାସ୍ତା କାମକୁ ବିରୋଧ କରି ଆଜି ବିରୋଧୀମାନେ ଢିଙ୍କିଆ ସୀମାରେ ଧାରଣାରେ ବସିଥିବା ବେଳେ ଏହି କାମ କରୁଥିବା ଠିକାଦାରଙ୍କ ଲୋକମାନେ ସେଠାକୁ ଆସିଥିଲେ ।

ତେବେ କାମ ନକରି ସେଠାରୁ ଚାଲିଯିବାକୁ ବିରୋଧୀମାନେ ସେମାନଙ୍କୁ କହିଥିଲେ ଏବଂ ଠିକାଦାରଙ୍କ ଲୋକମାନେ ଚାଲିଯାଇଥିଲେ ।

ପରେ କିଛି ସମୟ ପରେ ସଂପୃକ୍ତ ଠିକାଦାରଙ୍କ ଲୋକମାନେ ପୁଣି ସେଠାକୁ ଆସିଥିବା ବେଳେ ଉଭୟ ପକ୍ଷରୁ ବୋମାମାଡ଼ ଓ ଢେଲାମାଡ଼ ହୋଇଥିଲା ଏବଂ ଏହି ବୋମାମାଡ଼ରେ ସାମଗୋଲା ଗ୍ରାମର ୪୦ ବର୍ଷ ବୟସ୍କ ଦିଜ୍ୱବର ସ୍ୱାଇଁଙ୍କ ମୃତ୍ୟୁ ହୋଇଛି ।

ତେବେ ଘଟଣାସ୍ଥଳରୁ ପ୍ରକଳ୍ପ ବିରୋଧୀମାନେ ନହରଣ ଗ୍ରାମର ରଞ୍ଜନ ଦାସ ଏବଂ ତାଙ୍କ ସହଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି ।

ସକାଳୁ ସଂପୃକ୍ତ ନିର୍ମାଣ କମ୍ପାନୀର କେତେକ ଲୋକ ଢିଙ୍କିଆ ସୀମାରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ ଅସୁବିଧା ହେବ କହି ଧାରଣାରତ ଲୋକଙ୍କୁ ଧମକ ଦେଇଥିଲେ ବୋଲି ପୋସ୍କୋ ବିରୋଧି ନେତା ବାବୁଲି ରାଉତ କହିଛନ୍ତି ।

ତେବେ ଉକ୍ତ କମ୍ପାନୀର ପ୍ରାୟ ଦୁଇ ଶହ ଯୁବକ ବୋଷକାଲିସ୍ ନିକଟରେ ପହଞ୍ଚି ଧାରଣା ଦେଇଥିବା
ଲୋକଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ବୋଲି ଚାଷୀ ଆନ୍ଦୋଳନ ନେତା ପିତାମ୍ବର ତରାଇ କହିଛନ୍ତି ।

ବୋମା ମାଡ଼ରେ ଢିଙ୍କିଆ ଅଞ୍ଚଳର ଆଠ ଜଣ ଆହତ ହୋଇଥିବା ବେଳେ ଅଟକ ଥିବା ନିର୍ମାଣ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଛାଡ଼ି ଦିଆଯାଇଛି ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଂପଦକ ଶିଶିର ମହାପାତ୍ର କହିଛନ୍ତି ।

ଜିଲ୍ଲା ପ୍ରଶାସନର ଖାମଖିଆଲି ତଥା ସଂପୃକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏର୍ସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସେଠାରେ ଛଅ ପ୍ଲାଟୁନ୍
ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ କହିଛନ୍ତି ।

ରାସ୍ତା ନିର୍ମାଣ ପାଇଁ କିଛିଦିନ ପୂର୍ବରୁ ଶୁଭ ଦିଆଯାଇଥିବା ବେଳେ ବିରୋଧୀଙ୍କ ବିରୋଧ ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ଓ ମଙ୍ଗଳବାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version