Site icon Odisha.com

ଇଡ୍କୋ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ବିନା ଟେଣ୍ଡରରେ ପୋସ୍କୋ ଉପକୂଳ ରାସ୍ତା ନିର୍ମାଣ କାମ ପାଇଁ ଅନୁମତି ଦେଇଥିବାରୁ ଇଡ଼୍କୋ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ଗୁରୁବାର ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ନିର୍ମାଣ କାର୍ଯ୍ୟ ପାଇଥିବା ବାପି ସର୍କେଲ ଏବଂ ଇଡ଼୍କୋ ଅଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକଙ୍କ ଗିରଫ ଦାବିରେ କୁଜଙ୍ଗ-ପାରାଦ୍ଵୀପ ନାଗରିକ ମଞ୍ଚ ପକ୍ଷରୁ ହଜାର ହଜାର ଲୋକ କଟକ-ପାରାଦ୍ଵୀପ ଏବଂ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ।

ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ରାସ୍ତା କାମ ବିନା ଟେଣ୍ଡରରେ ଇଡ଼୍କୋ କର୍ତୃପକ୍ଷ ପାରାଦ୍ଵୀପ ପରିବହନ ନାମକ ସଂସ୍ଥାକୁ ଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ଇଡ଼୍କୋ ଅଧିକାରୀମାନେ ପୋସ୍କୋ ଜମି ଅଧିଗ୍ରହଣ ତଥା କାର୍ଯ୍ୟ ପରିବର୍ତେ କାହିଁକି ଏହି ରାସ୍ତା ନିର୍ମାଣ କରିବାରେ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ମଞ୍ଚର ନେତାମାନେ କହିଛନ୍ତି ।

ପୋସ୍କୋ ନିର୍ମାଣ କରିବା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ ବରଂ ରାସ୍ତା କାମ କରି ଏଥିରୁ ଟଙ୍କା ଆଦାୟ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ମଞ୍ଚର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ବୁଧବାର ସଂଘର୍ଷରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଏହି
ଘଟଣାର ସିବିଆଇ ତଦନ୍ତ ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

“ଇଡ଼୍କୋ ଅଧ୍ୟକ୍ଷଙ୍କୁ ଗିରଫ କରିବା ଆମର ପ୍ରଥମ ଦାବି ଏବଂ ଏହି ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରଦାନ କରିଛୁ । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ” ମଞ୍ଚର ଆବାହକ ପିତାମ୍ବର ତରାଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version