ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଗୁରୁବାର ରାଜ୍ୟର ୧୭ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କରିଥିବା ବେଳେ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ।
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ଅନୁଗୁଳ,ବରଗଡ଼, ଭଦ୍ରକ,ବଲାଙ୍ଗିର, ବୌଦ୍ଦ, କଟକ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର ଓ ଗଜପତି ପ୍ରଭୃତି ୧୭ଟି ଜିଲ୍ଲା ମରୁଡ଼ି ପ୍ରଭାବିତ ହୋଇଛି ।
ଏହି ଜିଲ୍ଲା ଗୁଡ଼ିକର ୧୧୩ଟି ବ୍ଲକ ଅନ୍ତର୍ଗତ ୧୨,୦୪୬ଟି ଗ୍ରାମ ଓ ୨୫ଟି ପୌରାଞ୍ଚଳ ଅନ୍ତର୍ଗତ ୧୦୦ଟି ୱାର୍ଡ଼ରେ ୫୦ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଥିବା ସମ୍ଭାବନା ଉପୁଜିଥିବା ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ କହିଛନ୍ତି ।
ପ୍ରଭାବିତ ଅଂଚଳକୁ ସହାୟତା ଦିଆଯାଉନଥିବା ବିରୋଧି କଂଗ୍ରେସ ଓ ବିଜେପି ଅଭିଯୋଗ କରିବାର ଗୋଟିଏଦିନ ପରେ ସରକାର ଏହି ଘୋଷଣା କରିଛନ୍ତି ।
ତେବେ ଆସନ୍ତା ଜାନୁୟାରୀ ୧୫ ତାରିଖ ସୁଦ୍ଧା ଜିଲ୍ଲା ଗୁଡ଼ିକରୁ ଫସଲ କଟା ରିପୋର୍ଟ ମିଳିବ । ରିଲିଫ କୋଡ଼ ଅନୁଯାୟୀ ୫୦ ପ୍ରତିଶତ କିମ୍ବା ତାଠାରୁ ଅଧିକ କ୍ଷତିଗ୍ରସ୍ତ ଚାଷୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ, ପାତ୍ର କହିଛନ୍ତି ।
କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୪ ହଜାର ଟଙ୍କା ଓ ଅଣ ଜଳସେଚିତ ଜମି ପାଇଁ ଏକର ପିଛା ୨ ହଜାର ଟଙ୍କା ଦିଆଯିବ ।
ଓଡ଼ିଶା ଡ଼ଟ୍ କମ୍