Site icon Odisha.com

ପାରାଦୀପ: ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣରେ ମୃତ୍ୟୁବରଣ
କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶୁକ୍ରବାର ବନ୍ଦ ପାଳନ ଯୋଗୁଁ ପାରାଦୀପରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ମିଳିତ ଗଣ ସଂଗଠନ ପକ୍ଷରୁ ପାରାଦୀପ, କୁଜଙ୍ଗ ଏବଂ ଏର୍ସମାରେ ଦିଆଯାଇଥିବା ଏହି ବନ୍ଦ
ଡ଼ାକରାକୁ ସବୁ ବର୍ଗର ଲୋକମାନେ ସମର୍ଥନ କରିଥିଲେ ।

ପାରାଦୀପ ବନ୍ଦରରେ ମାଲ ପରିବହନ ବାଧାପ୍ରାପ୍ତ ହେବା ସହ ବନ୍ଦରର ସମସ୍ତ କାର୍ଯ୍ୟାଳୟ, ଇଫ୍କୋ, ଏସାର ଷ୍ଟିଲ ପ୍ରକଳ୍ପ ଏବଂ ବ୍ୟାଙ୍କ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା ।

ସେହିପରି କୁଜଙ୍ଗ ଏବଂ ଏର୍ସମା ଅଞ୍ଚଳରେ ମଧ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ
ଗୁଡ଼ିକ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ନିଜ ଘରକୁ ଫେରିନପାରି ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ସଂଗଠନର କର୍ମକର୍ତା ଓ ସ୍ଥାନୀୟ ଲୋକମାନେ ଏହି ଅଂଚଳରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ସଂପୃକ୍ତ ଅଂଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା ।
କଟକ-ପାରାଦୀପ ଲାଇନରେ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଥିଲା ଫଳରେ ଯାତ୍ରୀବାହୀ ଓ ମାଲବାହୀ
ଟ୍ରେନ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା ।

ବାଣ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ, ମୃତକ ତଥା ଆହତ ବ୍ୟକ୍ତିଙ୍କ ପରିବାରକୁ
କ୍ଷତିପୂରଣ, କୁଜଙ୍ଗ ଡ଼ାକ୍ତରଖାନାକୁ ଅତ୍ୟାଧୁନିକ କରିବା, ପାରାଦୀପକୁ ଜିଲ୍ଲା ଘୋଷଣା ଏବଂ ସ୍ୱତନ୍ତ୍ରପୋଲିସ ଜିଲ୍ଲା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ସଂଗଠନ ପକ୍ଷରୁ ଦିଆଯାଇଥିବା ଆଠ ଦାବି ପୂରଣ ନହେଲେ ଆଗାମୀଦିନରେ ଆନ୍ଦୋଳନକୁ
ତୀବ୍ରତର କରାଯିବ ବୋଲି ଏହାର ନେତା ଗୋବିନ୍ଦ ତରାଇ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ମାସ ୧୬ ତାରିଖରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ
ସମାବେଶକୁ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା
ଏବଂ ଏଥିରେ ଆଠଜଣ ଆହତ ହୋଇଥିଲେ ।

ପରେ ଚିକିତ୍ସିତ ଅବସ୍ଥାରେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ଅନ୍ୟ ଚାରି ଜଣ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version