ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକ୍ତର ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଶନିବାର ଅନୁଷ୍ଠିତ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପରାମର୍ଶ ଦେବା ସହ ଗତ ପ୍ରଳୟଙ୍କାରୀ ବନ୍ୟା ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।
ଗତ ବନ୍ୟା ସମୟରେ ଏବଂ ବନ୍ୟା ପରବର୍ତ୍ତି ସମୟରେ ଜନସହଯୋଗ ଓ ଜନ ସଚେତନତା ମାଧ୍ୟମରେ କୌଣସି ସ୍ଥାନରେ କୌଣସି ପ୍ରକାର ମହାମାରୀ ଦେଖା ଦେଇ ନାହିଁ । ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ନିୟୋଜିତ କର୍ମଚାରୀ ମାନଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ଏହା ସମ୍ଭବପର ହୋଇ ପାରିଛି ବୋଲି ସେ କହିଛନ୍ତି ।
ତେବେ ସତର୍କ ରହିବା ସତ୍ୱେ ବିଭିନ୍ନ ସମୟରେ ସାମାନ୍ୟ କଥାରେ ବିଭାଗର ଭାବମୂର୍ତ୍ତିରେ ଆଂଚ
ଆସୁଛି । ତେଣୁ ସମସ୍ତେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ, ସେ କହିଛନ୍ତି ।
ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ସଂପୃକ୍ତ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ରାଜ୍ୟ ସର୍ବେକ୍ଷଣ ୟୁନିଟ୍ର ନୋଡାଲ ଅଫିସର ଡାଃ ବିକାଶ ପଟ୍ଟନାୟକଙ୍କୁ ବିଭିନ୍ନ ମହାମାରୀ ସମୟରେ ସମନ୍ୱୟ ରକ୍ଷାକରି ପରିସ୍ଥିତିର ମୁକାବିଲା ପାଇଁ ତାଙ୍କର ନିଷ୍ଠା , କର୍ମକ୍ଷତା ପାଇଁ ସ୍ୱତନ୍ତ୍ରଭାବେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍’