Site icon Odisha.com

ପୋସ୍କୋ: ଅଧିକାରୀଙ୍କ ବଦଳି,ଅଗ୍ରଗତି ନେଇ ଆଶଂକା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ନିୟୋଜିତ ଅଧିକାରୀଙ୍କୁ ସରକାର ଜଣକ ପରେ ଜଣଙ୍କୁ ବଦଳି କରୁଥିବାରୁ ପ୍ରକଳ୍ପର ଅଗ୍ରଗତି ନେଇ ଆଶଂକା ପ୍ରକାଶ ପାଇଛି ।

ସଂପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଉଥିବାରୁ ସରକାର ପୋସ୍କୋ ବିରୋଧୀଙ୍କ ନିକଟରେ ଅତ୍ମସମର୍ପଣ କରିଛନ୍ତି ଏବଂ ସେମାନଙ୍କ ଦାବି ପୂରଣ କରୁଛନ୍ତି ବୋଲି ସପକ୍ଷବାଦୀମାନେ ଅଭିଯୋଗ କରିଛନ୍ତି ।

ସରକାର ପ୍ରଥମେ କେନ୍ଦ୍ରାଞ୍ଚଳ ଆର୍ଡ଼ିସି ପ୍ରଦୀପ୍ତ ମହାପାତ୍ର ଏବଂ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ସରୋଜ କାନ୍ତ ଚୌଧୁରୀଙ୍କୁ ବଦଳି କରିଥିଲେ । ପ୍ରକଳ୍ପ ପାଇଁ ମହାପାତ୍ର ବିଭିନ୍ନ ଯୋଜନା କରୁଥିବା ବେଳେ ଚୌଧୁରୀ ଜମି ଅଧିଗ୍ରହଣ କାର୍ଯ୍ୟ କରୁଥିଲେ ।

ପରେ ସରକାର ଗତ ଚାରି ବର୍ଷ ଧରି ଏହି ପ୍ରକଳ୍ପ କାମ କରିଆସୁଥିବା ଏର୍ସମା ବିଡ଼ିଓଙ୍କୁ ଅନ୍ୟତ୍ର ବଦଳି କରିଥିଲେ ।

ତେବେ ନିକଟରେ ଏହି ଅଞ୍ଚଳରେ ହୋଇଥିବା ସଂଘର୍ଷ ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ
ପ୍ରକଳ୍ପ କାମ ବୁଝୁଥିବା ଇଡ଼୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକଙ୍କୁ ଏହି ପଦବୀରୁ ବଦଳି କରି ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନାକୁ ନିଯୁକ୍ତ କରିଛନ୍ତି ।

ପଟ୍ଟନାୟକ ଗତ କିଛି ମାସ ଧରି ପ୍ରକଳ୍ପ ପାଇଁ ଉପକୂଳ ରାସ୍ତା, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ପୋସ୍କୋ ପ୍ରକଳ୍ପ କାମ ପାଇଁ ଜୋରସୋର ପ୍ରୟାସ କରିଆସୁଥିଲେ ।

“ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ସରକାର ଯେଭଳି ବଦଳି କରିଛନ୍ତି ଏହା ଜମି ଅଧିଗ୍ରହଣ
କାର୍ଯ୍ୟକୁ ପ୍ରଭାବିତ କରିବ” ପୋସ୍କୋ-ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସରକାର ସପକ୍ଷବାଦୀଙ୍କ କୌଣସି ଦାବି ପୂରଣ ନକରି କେବଳ ବିରୋଧୀଙ୍କ ଚାପରେ ଅଧିକାରୀ ମାନଙ୍କୁ ବଦଳି କରିଚାଲିଛନ୍ତି ଫଳରେ ପ୍ରକଳ୍ପର ଅଗ୍ରଗତି ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ସଂପାଦକ ନିର୍ଭୟ ସାମନ୍ତରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version