Site icon Odisha.com

ପ୍ରସ୍ତାବିତ ସିଣ୍ଢୋଲ ପ୍ରକଳ୍ପ ବନ୍ଦ ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାରେ ପ୍ରସ୍ତାବିତ ସିଣ୍ଢୋଲ ଜଳ ବିଦ୍ୟୁତ୍ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସରକାର ସଂପୃକ୍ତ ଅଂଚଳରେ ଏହି ପ୍ରକଳ୍ପ ପ୍ରତିଷ୍ଠା ଉଦ୍ୟମରୁ ନିବୃତ ରହିଛନ୍ତି ବୋଲି ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋମବାର ବିଧାନସଭାରେ କହିଛନ୍ତି ।

ଲୋକଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇଥିଲା ।

ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ଜନସାଧାରଣ ଏହାକୁ ଘୋର ବିରୋଧ କରୁଥିବାରୁ ସରକାର ସେଥିରୁ ନିବୃତ ରହିବା ଉଚିତ ବୋଲି ଉକ୍ତ କମିଟି ସୁପାରିଶ କରିଥିଲା ।

ଗତ ଜୁନ୍ ମାସରେ ଜାତୀୟ ଜଳ ବିଦ୍ୟୁତ ନିଗମ ସମ୍ବଲପୁରରେ ୧୦୦ ମେଗାୱାଟ, ସୋନପୁରରେ ୧୦୦ ମେଗାୱାଟ ଏବଂ ବୌଦ୍ଧରେ ୧୨୦ ମେଗାୱାଟର ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପାଇଁ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଏହି ପ୍ରକଳ୍ପ ଯୋଗୁଁ ୧୧୮ଟି ଗ୍ରାମ ସଂପୂର୍ଣ୍ଣ କିମ୍ବା ଆଶିଂକ ପ୍ରଭାବିତ ହେବ ଏବଂ ଏହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଟାଣି ଆଣିବ ବୋଲି ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକମାନେ କହିଥିଲେ ।

ପ୍ରକଳ୍ପ ଦ୍ୱାରାସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ହୁମା ମନ୍ଦିର ସମେତ ବହୁତ ମନ୍ଦିର ମଧ୍ୟ ପାଣିରେ ମିଶିଯିବ ବୋଲି ସେମାନେ ଆଶଂକା ପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version