Site icon Odisha.com

ବିଷାକ୍ତ ସଲପ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ବିଷାକ୍ତ ସଲପ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ରାତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଣୁପୁର ଡ଼ାକ୍ତରଖାନାରେ ଜଣେ ଏବଂ ବ୍ରହ୍ମପୁର ଡ଼ାକ୍ତରଖାନାରେ ଅନ୍ୟଦୁଇଜଣଙ୍କ ମୃତ୍ୟୁ ହୋଇଛି ।

ପାଂଚଜଣ ଅସୁସ୍ଥ ବ୍ୟକ୍ତିଙ୍କୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି ।

କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପର ଗ୍ରାମରେ ଏହି ଲୋକମାନେ ଶନିବାର ରାତିରେ ଭୋଜି କରିଥିବା ବେଳେ ଏଥିରେ ସଲପ ପିଇଥିଲେ ।

ଖାଇସାରିବା ପରେ ଲୋକମାନେ ସେଠାରେ ଥିବା ଖଳାରେ ଶୋଇପଡ଼ିଥିଲେ ଏବଂ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା । ରବିବାର ସକାଳେ ଗାଁ ଲୋକମାନେ ଏମାନଙ୍କୁ ଦେଖି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଅବକାରୀ ବିଭାଗ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ଜିଲ୍ଲାପାଳ ମଧ୍ୟ ସଂପୃକ୍ତ ଅଂଚଳକୁ ଗସ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version