Site icon Odisha.com

ପୋସ୍କୋ ସଂଘର୍ଷ ଘଟଣାରେ ଚାରି ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ହୋଇଥିବା ସଂଘର୍ଷ ଘଟଣାରେ ଚାରି ଜଣଙ୍କୁ ଗିରଫ କରିଥିବା ପୋଲିସ ବୁଧବାର କହିଛି ।

ପୋସ୍କୋ ଅଞ୍ଚଳରେ ରାସ୍ତା କାମ କରୁଥିବା ଠିକାଦାର ବାପି ସର୍ଖେଲଙ୍କ ଚାରି ଜଣ ସମର୍ଥକଙ୍କୁ କୁଜଙ୍ଗ ପୋଲିସ ପାରାଦ୍ଵୀପରୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଲଲିତ ଭୁଜବଳ, ଚନ୍ଦ୍ରଭାନୁ ପଟ୍ଟନାୟକ, ବୁଲା ସ୍ୱାଇଁ ଏବଂ ସନାତନ ମହାନ୍ତି ।

ସଂଘର୍ଷ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଏବଂ ଗିରଫ ଚାରି ଜଣଙ୍କୁ କୋର୍ଟରେ ହାଜର କରାଯାଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ କହିଛନ୍ତି ।

ସଂଘର୍ଷରେ ମୃତ୍ୟୁବରଣ କରିଥିବା ଦ୍ଵୀଜବରଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳଙ୍କୁ ପୂର୍ବରୁ ଗିରଫ କରିଥିଲା ।

“ଏହି ଘଟଣାରେ ସଂପୃକ୍ତ ନଥିବା ଚାରି ଜଣ ନୀରିହ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କୁ ଗିରଫ କରି ମୁଖ୍ୟ ଅଭିଯୁକ୍ତକୁ ଖସାଇଦେବାକୁ ପୋଲିସ ଯୋଜନା କରୁଛି” କୁଜଙ୍ଗ-ପାରାଦ୍ଵୀପ ନାଗରିକ ମଞ୍ଚର ନେତା ବାବୁରାମ ଚୌଧୁରୀ ଓ ପିତାମ୍ବର ତରାଇ ଅଭିଯୋଗ କରିଛନ୍ତି ।

ଗତ ୧୪ ତାରିଖରେ ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ରାସ୍ତା ନିର୍ମାଣ କରୁଥିବା କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version