Site icon Odisha.com

ନ୍ୟାୟ ଅପେକ୍ଷାରେ ସାଳନ୍ଦୀ ଯୋଜନା ବିସ୍ଥାପିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର ସାଳନ୍ଦୀ ସଂସ୍କାର ଯୋଜନା ଦ୍ୱାରା  ବିସ୍ଥାପିତ ହୋଇଥିବା ଲୋକମାନେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିବା ଆଶାରେ ଅପେକ୍ଷା କରି ରହିଛନ୍ତି ।

ଏହି ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ଆଗମନ ପରେ ପ୍ରମାଣିତ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମିହରାଙ୍କ ଦୁଃଖ ଲାଘବ ହୋଇନାହିଁ ।

ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଗତ ନଅ ମାସ ତଳେ ଏସଂପର୍କରେ ତଦନ୍ତ କରିବାକୁ ଜିଲ୍ଲା  ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି ।

ଯୁବ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଉ୍ୟମରେ ଯୋଜନାରେ ହୋଇଥିବା ଦୁର୍ନୀତି ପ୍ରମାଣିତ ହୋଇଥିଲେ ମଧ୍ୟ ଏହି ଅନିୟମିତତା ପଛରେ ଥିବା ଲୋକଙ୍କ ବିରୁଦ୍ଧରେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବାରୁ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ, ଭଦ୍ରକକୁ ସାଳନ୍ଦୀ ତଥା ଏହାର ଶାଖା ନଦୀ ମାନଙ୍କରେ ଆସୁଥିବା ବନ୍ୟା କବଳରୁ ରକ୍ଷା କରିବା ସହ ଚାଷୀମାନଙ୍କର ବିକାଶ ପାଇଁ ଏନ୍ଡିଏ ସରକାରଙ୍କ ଅମଳରେ ଶହେକୋଟି ଟଙ୍କା ବ୍ୟୟରେ ସାଳନ୍ଦୀ ନଦୀ ଖନନ ପାଇଁ ଉଦ୍ୟମ ହୋଇଥିଲା ।

ତେବେ ଏହା ବର୍ତମାନ କେତେକ ପ୍ରଶାସନିକ ଅଧିକାରୀଙ୍କ ପାଇଁ ପ୍ରହସନରେ ପରିଣତ ହୋଇଛି । ଏହି ସଂସ୍କାର ଯୋଜନାରେ ଜମି ହରାଇଥିବା ବ୍ୟକ୍ତିଙ୍କ ଜମିର ମୂଲ୍ୟାୟନ କରୁଥିବା ବିଭାଗୀୟ ଅଧିକାରୀମାନେ ବହୁ ଅବନୈତିକ ପନ୍ଥା ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି ।

ଜମି ଅଧିଗ୍ରହଣ ସମୟରେ ପ୍ରଚୁର ପରିମାଣର ଲାଂଚ ପ୍ରାନ କରି ନିଜ ପ୍ରାପ୍ୟ କ୍ଷତିର ପରିମାଣ ଠାରୁ ବହୁ ଅଧିକ ଅର୍ଥ କ୍ଷତିପୂରଣ କରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଜମି ହରାଇଥିଲେ ମଧ୍ୟ ଲାଂଚ ଦେଇପାରିନଥିବା ବ୍ୟକ୍ତିଙ୍କ ଜମିରେ ଲକ୍ଷାଧିକ ଟଙ୍କାର ଗଛ ଥିବା ସତ୍ୱେ ସଂପୃକ୍ତ ସ୍ଥାନରେ ଗୋଟିଏ ବି ଗଛ ନଥିବା ରେକର୍ଡ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି ।

୨୦୦୬ରୁ ଏହି ଯୋଜନା ସାଳନ୍ଦୀ ଜଳସେଚନ ବିଭାଗ ଦ୍ୱାରାଆରମ୍ଭ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାଶୁଭାରମ୍ଭ କରାଯାଇଥିଲା ।

ଏହାମଧ୍ୟରେ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ସାଳନ୍ଦୀ ସଂସ୍କାର ପ୍ରକଳ୍ପର ସମସ୍ତ ବିସ୍ଥାପିତଙ୍କୁ ଭୂ-ଅଧିଗ୍ରହଣ ପରିସରକୁ ଅଣାଯାଇ ନଥିବାରୁ କ୍ଷତିଗ୍ରସ୍ତମାନେ ନ୍ୟାୟ ପାଇଁ ଚାହିଁ ବସିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version