Site icon Odisha.com

ବିଧାନସଭା ଶୀତକାଳୀନ ଅଧିବେଶନ ଶେଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ଦ୍ଧାରିତ କାର୍ଯ୍ୟିବସର ଛଅଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି ।

ଶନିବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଶୀତକାଳୀନ ଅଧିବେଶନ ଶେଷ କରିବାକୁ ପ୍ରାୟ ସବୁ ଦଳର ବିଧାୟକମାନେ ଦାବି କରିଥିଲେ ।

ପ୍ରଥମେ ବିଧାୟକ ଅମରପ୍ରସାଦ ଶତପଥୀ ଓ କଳ୍ପତରୁ ଦାସ ଏକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପରେ ଅନ୍ୟ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ ।

ସଂସଦୀୟ ବ୍ୟପାର ମନ୍ତ୍ରୀ ରଘୁନାଥ ମହାନ୍ତି ସଂଖ୍ୟାଧିକ ସଭ୍ୟଙ୍କ ମତାମତ ଦୃଷ୍ଟିରୁ ବାଚସ୍ପତି ଗୃହର କାର୍ଯ୍ୟକ୍ରମକୁ ଶେଷ କରନ୍ତୁ ବୋଲି କହିଥିଲେ । କିନ୍ତୁ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ ।

ପରେ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଗୃହ ବନ୍ଦ କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ । ବାଚସ୍ପତି ପ୍ରଦୀପ ଅମାତ ଏହି ପ୍ରସ୍ତାବ ଉପରେ ଭୋଟିଂ କରି ତାହାକୁ ଗ୍ରହଣ କରିଥିଲେ ଏବଂ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।

ଚଳିତ ଅଧିବେଶନ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏବଂ ତାହା ଡିସେମ୍ବର ୩୧ ତାରିଖ
ପର୍ଯ୍ୟନ୍ତ ଚାଲିବାକୁ ଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version