Site icon Odisha.com

ରାମଚନ୍ଦ୍ର ଉଲାକାଙ୍କ ପରଲୋକ,ମୃତ୍ୟୁକୁ ନେଇ ବିବାଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ରବିବାର ଭୋର ସମୟରେ କ୍ୟାପିଟାଲ ହସ୍ପିଟାଲରେ ୭୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଥିବା ବେଳେ ଏହି ମୃତ୍ୟୁକୁ ହତ୍ୟା ବୋଲି ଦର୍ଶାଇ ତାଙ୍କର ପ୍ରଥମ ପତ୍ନୀଙ୍କ ପୁତ୍ର ଅଭିଯୋଗ କରିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏହି ଅଭିଯୋଗ ପରେ ରାୟଗଡ଼ା ପୋଲିସ କମିଶନରେଟ୍ ପୋଲିସ ସହାୟତାରେ କ୍ୟାପିଟାଲ ହସ୍ପିଟାଲରୁ ରିପୋର୍ଟ ମାଗିଛି ।

୧୯୩୪ରେ ଜନ୍ମଗ୍ରହଣ କରିଥିବା ଉଲାକା ରାୟଗଡ଼ାରୁ ଆଠ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେଦୁଇଥର କୋରାପୁଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

୧୯୬୨ରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଉଲାକା ରାଜ୍ୟରେ ଆଦିବାସୀ କଲ୍ୟାଣ, ଜଙ୍ଗଲ ଓ ପରିବେଶ, ସ୍କୁଲ ଓ ଗଣଶିକ୍ଷା ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୦୯ରେ ଓଡ଼ିଶା ବିଧାନସଭାରେ ବିରୋଧି ଦଳ ନେତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

ତାଙ୍କ ମୃତ୍ୟୁରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ଏବଂ ଆସାମ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତାଙ୍କ ପରଲୋକରେ ରାୟଗଡ଼ା ସହରରେ ଦୋକାନବଜାର ବନ୍ଦ ରହିଛି । ରାମଚନ୍ଦ୍ରଙ୍କ ଦୁଇ ପତ୍ନୀ, ସାତ ପୁଅ ଓ  ଚାରି ଝିଅ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version