Site icon Odisha.com

ପ୍ରଧାନମନ୍ତ୍ରୀ ପୋସ୍କୋ ଅଞ୍ଚଳ ଗସ୍ତ କରିବାକୁ ଦାବି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଗସ୍ତ କରିବାକୁ ପ୍ରକଳ୍ପ ବିରୋଧୀମାନେ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସୋମବାର ଢିଙ୍କିଆ ଓ ଗୋବିନ୍ଦପୁର ଗ୍ରାମବାସୀମାନେ ଏକ ସଭାର ଆୟୋଜନ କରିଥିଲେ ।

ମନମୋହନ ସଂପୃକ୍ତ ଅଞ୍ଚଳ ଗସ୍ତ କରି ଲୋକମାନେ କିଭଳି ରହୁଛନ୍ତି ଏବଂ କିଭଳି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଇଛି ତାହା ଦେଖନ୍ତୁ ବୋଲି ସଭାରେ ବିରୋଧୀ ନେତାମାନେ କହିଛନ୍ତି ।

ଏହି ଅଞ୍ଚଳକୁ ଆସିବା ପାଇଁ ପୂର୍ବତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଓ କଂଗ୍ରେସ ସାଧାରଣ ସଂପାଦକ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଆସିନଥିଲେ, ନେତାମାନେ କହିଛନ୍ତି ।

ପ୍ରକଳ୍ପକୁ ବିରୋଧ କରି ଗତ ଛଅ ବର୍ଷ ହେଲା ଛୋଟ ପିଲା ଓ ମହିଳାଙ୍କ ସହ ଗ୍ରାମବାସୀମାନେ ଯେଭଳି ଆନ୍ଦୋଳନ କରିଆସୁଛନ୍ତି ତାହା ପ୍ରଧାନମନ୍ତ୍ରୀ ଦେଖିବା ଉଚିତ୍ ବୋଲି ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ଏକ ପାଞ୍ଚ ଦଫା ଦାବି ସମ୍ବଳିତ ପତ୍ର ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ବେଳେ ପୋସ୍କୋ ପ୍ରକଳ୍ପ ପାଇଁ ହୋଇଥିବା ଚୁକ୍ତି ଶେଷ ହୋଇଥିବାରୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୁନର୍ବାର ଏହାର ନବୀକରଣ ନକରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି ।

ତେବେ ପ୍ରକଳ୍ପ ସମର୍ଥକ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ପ୍ରଧାନମନ୍ତ୍ରୀ ସଂପୃକ୍ତ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବାକୁ ଦାବି କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version