Site icon Odisha.com

ମାରାଥନ ଦୌଡ଼ ସମୟରେ ଯୁବକଙ୍କ ମୃତ୍ୟୁ, ୫ ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ବନ୍ଦରର ପଚାଶ ବର୍ଷ ପୂର୍ତି
ଅବସରରେ ମଙ୍ଗଳବାର ଆୟୋଜିତ ମାରାଥନ ଦୌଡ଼ରେ ଅଂଶ ଗ୍ରହଣ କରିଥିବା ଜଣେ ଯୁବକଙ୍କ
ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଦୌଡ଼ରେ ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡ଼ାର ୧୮ ବର୍ଷ ବୟସ୍କ ପ୍ରଭାକର ବେହେରା ପଡ଼ିଯାଇଥିଲେ ଏବଂ ଅନ୍ୟ ପାଂଚ ଜଣ ଗୁରୁତର ଆହତ ହୋଇଥିବା ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ପକ୍ଷରୁ କୁହାଯାଇଛି ।

ଆହତ ଯୁବକ ମାନଙ୍କୁ ତୁରନ୍ତ ବନ୍ଦର ଟ୍ରଷ୍ଟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମୁଣ୍ଡରେ ଆଘାତ ଓ ରକ୍ତସ୍ରାବ ଯୋଗୁଁ ବେହେରାଙ୍କ ମୃତ୍ୟୁ ହୋଇଥିବା ଡ଼ାକ୍ତରମାନେ ଘୋଷଣା କରିଥିଲେ । ଅନ୍ୟ ଆହତ ଯୁବକମାନେ ଚିକିତ୍ସାଧିନ ଥିବା କୁହାଯାଇଛି ।

ମାରାଥନ ଦୌଡ଼ରେ ପ୍ରାୟ ପାଂଚଶହ ଜଣ ଅଂଶଗ୍ରହଣ କରିଥିବା ବେଳେ ଆୟୋଜକଙ୍କ ପକ୍ଷରୁ
ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିଲା, ଯାହା ଦ୍ୱାରାଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି ।

“”ଏହା ଏକ ଦୁଃଖଦାୟକ ଘଟଣା ଏବଂ ମୃତ ଯୁବକଙ୍କ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ । ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ନିଷ୍ପତି ହୋଇଛି”ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଜି.ଜଗନ୍ନାଥ ରାଓ କହିଛନ୍ତି ।

ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ୍ଦର ଟ୍ରଷ୍ଟ ଡ଼ାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ନିଖିଲ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version