Site icon Odisha.com

ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦୁଇଦିନିଆ ଓଡ଼ିଶା ବନ୍ଦ ଡ଼ାକରା ଯୋଗୁଁ ବୁଧବାର ଦକ୍ଷିଣ ଓଡ଼ିଶାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ବନ୍ଦ ଯୋଗୁଁ ଜୟପୁରରୁ ବିଭିନ୍ନ ସ୍ଥାନକୁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ।

ବିଶେଷ ଭାବରେ କନ୍ଧମାଳ ଜିଲ୍ଲାରେ ଏହି ବନ୍ଦର ପ୍ରଭାବ ଅନୁଭୂତ ହୋଇଛି । ଜିଲ୍ଲାର ।ରିଙ୍ଗବାଡ଼ି, କୋଟଗଡ଼ ଆଦି ଅଞ୍ଚଳରେ ଦୋକାନବଜାର, ଗାଡ଼ିମଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ରାୟଗଡା ଜିଲ୍ଲାରେ ମଙ୍ଗଳବାର ରାତିରୁ ଦୂରଗାମୀ ସରକାରୀ ବସ୍ ଓ ମୁନିଗୁଡାରୁ ଚନ୍ଦ୍ରପୁର, ଫୁଲବାଣୀ ରାସ୍ତାରେ ମଧ୍ୟ ଯାନବାହନ ଚଳାଚଳ ବନ୍ଦ ରହିଛି ।

ବନ୍ଦ ଡ଼ାକରା ପୂର୍ବରୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ମାଓବାଦୀମାନେ ଚାରୋଟି ମୋବାଇଲ ଟାୱାର ପୋଡ଼ି ଦେଇଛନ୍ତି ।

ସହର ମଧ୍ୟକୁ ଆସୁଥିବା ଗାଡି ଗୁଡିକ ଯାଞ୍ଚ କରାଯିବା ସହ ଖାନତଲାସି କରାଯାଉଛି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version