Site icon Odisha.com

ଜଗତସିଂହପୁର: ପୋସ୍କୋ କାର୍ଯ୍ୟାଳୟ ଉପରେ ବୋମାମାଡ଼

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ନୂଆଗାଁ ଅଞ୍ଚଳରେ ଥିବା ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପର କାର୍ଯ୍ୟାଳୟ ଉପରେ ଦୁର୍ବୃତମାନେ ବୋମାମାଡ଼ କରିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ପୋଲିସ ଶୁକ୍ରବାର କହିଛି ।

ଗୁରୁବାର ରାତିରେ ଦୁର୍ବୃତମାନେଦୁଇଟି ବୋମାମାଡ଼ କରିଥିବା ବେଳେ ଏଥିରେ କାର୍ଯ୍ୟାଳୟରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଏହି ଘଟଣା ପରେ ସେଠାରେ ଥିବା କର୍ମଚାରୀମାନେ ଭୟରେ ପଳାଇଯାଇଛନ୍ତି ।

ପୂର୍ବରୁ ସଂପୃକ୍ତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗତ ମଙ୍ଗଳବାର ଦଧିବାମନ ଜିଉ ଜଙ୍ଗଲ କମିଟି ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ପରେ ଏହି ବୋମାମାଡ଼ କରାଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ନେଇ କେହି ଅଭିଯୋଗ କରିନାହାନ୍ତି କିନ୍ତୁ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ କହିଛନ୍ତି ।

ତେବେ କମ୍ପାନୀର କୌଣସି ଠିକ୍ କାଗଜପତ୍ର ନଥିବା ବେଳେ ଜଙ୍ଗଲ କମିଟି ସଦସ୍ୟଙ୍କ ବିରୁଦ୍ଧରେ
ଥାନାରେ ମାମଲା ରୁଜୁ କରିବା ପାଇଁ ପୋସ୍କୋ କିଏ ବୋଲି ଗ୍ରାମବାସୀମାନେ କହିଛନ୍ତି ।

ବଳପୂର୍ବକ ଜମି ଅଧିଗ୍ରହଣ କରି ଏଠାରେ କାର୍ଯ୍ୟାଳୟ ଖୋଲାଯାଇଛି, ତେଣୁ କମ୍ପାନୀ ଅଧିକାରୀଙ୍କ କୌଣସି ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଅଧିକାର ନାହିଁ ବୋଲି ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version